ଭାରତୀୟ ‌ଦ୍ରୁତ ବୋଲିଂ ଚିନ୍ତାଜନକ

ବୁଧବାରଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ୍ ଖେଳାଯିବାକୁ ଥିବାବେଳେ ଦଳ ଚୟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରବୀନ୍ଦ୍ର ଜାଡ଼େଜା ଓ ଶାର୍ଦୁଳ ଠାକୁର ଫିଟ୍‌ ହୋଇଯାଇଥିବାରୁ ଏବେ କିଏ ଖେଳିବେ ଓ କିଏ ବସିବେ ବିଚାର ବିମର୍ଶ ଚାଲିଛି। ରବୀନ୍ଦ୍ର ଜାଡ଼େଜା ଉପଲବ୍‌ଧ ହୋଇଥିବାରୁ ସେ ଆର୍ ଅଶ୍ବିନଙ୍କ ସ୍ଥାନ ନେବା ପ୍ରାୟ ନିଶ୍ଚିତ ରହିଛି। ଅଶ୍ବିନ ପ୍ରଥମ ଟେଷ୍ଟ୍‌ରେ ୧୯ ଓଭର ବୋଲିଂ କରି ୪୧ ରନ୍ ବିନିମୟରେ ଗୋଟିଏ ମାତ୍ର ୱିକେଟ୍ ନେଇଥିଲେ। ଦଳ ଚୟନ ସମ୍ପର୍କରେ ମତ ଦେଇ ପୂର୍ବତନ ଅଲରାଉଣ୍ଡର୍ ଇର୍ଫାନ୍ ପଠାନ କହିଛନ୍ତି ‘ସେଞ୍ଚୁରିଅନ୍ ପିଚ୍‌ରେ ଅଶ୍ବିନ୍‌ ଭଲ ବୋଲିଂ କରିଥିଲେ ମଧ୍ୟ ଜାଡ଼େଜାଙ୍କୁ ପ୍ରତ୍ୟାବର୍ତନ ସୁଯୋଗ ମିଳିବା ଉଚିତ। କାରଣ ୭ ନମ୍ବର ସ୍ଥାନରେ ଦଳର ବ୍ୟାଟିଂକୁ ଜାଡ଼େଜା ନିୟନ୍ତ୍ରଣ କରିପାରିବେ। ମୁକେଶ କୁମାରଙ୍କ ପାଇଁ ପ୍ରସିଦ୍ଧ କୃଷ୍ଣଙ୍କୁ ବାଟ ଛାଡ଼ିବାକୁ ପଡ଼ିପାରେ’। ସେଞ୍ଚୁରିଅନ୍‌ରେ ପ୍ରସିଦ୍ଧ ୧୯ ଓଭର ବୋଲିଂ କରି ୯୩ ରନ୍ ବ୍ୟୟ କରିବା ସହ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। ‘ରୋହିତ ଶର୍ମାଙ୍କ ବିଶ୍ବାସ ଅନୁସାରେ ସେ ନିଶ୍ଚିତ ସମାନ ବୋଲିଂ ଆକ୍ରମଣ ସହ ଖେଳିବାକୁ ପସନ୍ଦ କରିପାରନ୍ତି। ପରିବର୍ତନ କରିବାକୁ ଚାହିଁଲେ ପ୍ରସିଦ୍ଧଙ୍କ ବଦଳରେ ମୁକେଶ ଆସିବେ। କିନ୍ତୁ ନେଟ୍ସରେ ଯଦି ପ୍ରସିଦ୍ଧ ଆତ୍ମବିଶ୍ବାସର ସହ ଖେଳିଥିବେ ରୋହିତ ତାଙ୍କୁ ଦ୍ବିତୀୟ ଟେଷ୍ଟ୍ ପାଇଁ ବି ସମର୍ଥନ କରିବା ଉଚିତ’ ବୋଲି ଭାରତ ପାଇଁ ୨୯ ଟେଷ୍ଟ୍‌, ୧୨୦ ଦିନିକିଆ, ୨୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିବା ଇର୍ଫାନ୍ ପ୍ରକାଶ କରିଛନ୍ତି।