ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ହକି

ରାଞ୍ଚିରେ ଜାନୁଆରି ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଶନିବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ନିକଟରେ ପ୍ରଥମ ମହିଳା ଭାବେ ୩୦୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ବନ୍ଦନା କାଟାରିଆ ଉପଅଧିନାୟିକା ଦାୟିତ୍ବ ପାଇଛନ୍ତି। କିନ୍ତୁ ଓଡ଼ିଶାରୁ କୌଣସି ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇପାରି ନାହାନ୍ତି। ମୁଖ୍ୟ ପ୍ରଶିକ୍ଷକ ୟାନେକ୍‌ ସ୍କପମ୍ୟାନ୍‌ଙ୍କ ଅନୁସାରେ, ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା। ତେଣୁ ଖେଳାଳିମାନେ ଅଲିମ୍ପିକ୍‌ ଯୋଗ୍ୟତା ପାଇବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ବହୁତ ତର୍ଜମା କରିବା ପରେ ଆମେ ଅଭିଜ୍ଞ ଓ ଦକ୍ଷ ଖେଳାଳିଙ୍କୁ ନେଇ ଏକ ସନ୍ତୁଳିତ ଦଳ ଚୟନ କରିଛୁ। ଏଥିସହିତ ସବିତା ଓ ବନ୍ଦନା ପୂର୍ବରୁ ଉଚ୍ଚ ଚାପଭୁକ୍ତ ମ୍ୟାଚ୍‌ ଖେଳିବା ଅଭିଜ୍ଞତା ରଖିଛନ୍ତି। ସେମାନେ ଦଳର ଅଧିନାୟିକା ଓ ଉପଅଧିନାୟିକା ହୋଇ ଅନ୍ୟ ଖେଳାଳିମାନଙ୍କୁ ମାର୍ଗଦର୍ଶନ ଦେଇପାରିପାରିବେ ବୋଲି ୟାନେକ୍‌ କହିଛନ୍ତି। ଭାରତ ପୁଲ୍‌ ବି’ରେ ନ୍ୟୁଜିଲାଣ୍ଡ, ଇଟାଲି, ଆମେରିକା ସହିତ ସ୍ଥାନ ପାଇଛି। ପୁଲ୍‌ ଏ’ରେ ଜର୍ମାନି, ଜାପାନ, ଚିଲି ଓ ଚେକ୍‌ ରିପବ୍ଲିକ୍‌ ରହିଛନ୍ତି। ଭାରତ ପ୍ରଥମ ମ୍ୟାଚ୍ ଜାନୁଆରି ୧୩ ତାରିଖରେ ଆମେରିକା ବିପକ୍ଷରେ ଖେଳିବ।