ଷ୍ଟାର୍କ ସବୁଠୁ ଦାମୀ

ଆଇପିଏଲ୍‌ର ୨୦୨୪ ତଥା ସପ୍ତଦଶ ସଂସ୍କରଣ ପାଇଁ  ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏ ୧୦ଟି ଯାକ ଦଳ ଖେଳାଳି କିଣାରେ ମୋଟ ୨୩୦ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ୮ ବର୍ଷ ପରେ ଆଇପିଏଲ୍‌କୁ ଫେରି ସବୁଠାରୁ ଦାମୀ ଖେଳାଳିର ମାନ୍ୟତା ପାଇଛନ୍ତି। ତାଙ୍କୁ ୨୪.୭୫ କୋଟି ଟଙ୍କାରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) କିଣିଛି। ଷ୍ଟାର୍କ ମଧ୍ୟ ଆଇପିଏଲ୍‌ ଇତିହାସରେ ଦାମୀ ଖେଳାଳି ହୋଇଛନ୍ତି। ପ୍ୟାଟ୍‌ କମିନ୍ସଙ୍କୁ ସେ ଟପିଛନ୍ତି। କମିନ୍ସଙ୍କୁ ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦.୫ କୋଟି ଟଙ୍କାରେ କିଣିଥିଲା। ମୂଳ ଦଳ ୨ କୋଟି ଥିବା ଷ୍ଟାର୍କଙ୍କୁ କିଣିବାକୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା।

ଦୁବାଇରେ ଅନୁଷ୍ଠିତ ଏହି ନିଲାମରେ ଦ୍ରୁତ ବୋଲର ହର୍ଷଲ ପଟେଲ୍‌ ଦାମୀ ଭାରତୀୟ ହୋଇଛନ୍ତି। ୨ କୋଟି ମୂଳ ଦର ଥିବା ହର୍ଷଲଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି ପଞ୍ଜାବ କିଙ୍ଗ୍ସ। ହର୍ଷଲ ଆଇପିଏଲ୍‌ରେ ୯୨ ମ୍ୟାଚ୍‌ ଖେଳି ୧୧୧ ୱିକେଟ୍‌ ଦଖଲ କରିଛନ୍ତି। ଭାରତର ଅନ୍‌କ୍ୟାପ୍‌ଡ ଖେଳାଳି ସମୀର ରିଜଭୀ (୮.୪ କୋଟି), ଶୁଭମ ଦୁବେ (୫.୮ କୋଟି)ଙ୍କୁ ଯଥାକ୍ରମେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ନେଇଛନ୍ତି। ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଏହି ଦୁଇ ବ୍ୟାଟର୍‌ଙ୍କ ମୂଳ ଦର ୨୦ ଲକ୍ଷ ରହିଥିଲା। ଫାଇନାଲ୍‌ ନିଲାମ ତାଲିକାରେ ଥିବା ଦୁଇ ଓଡ଼ିଆ ଶୁଭ୍ରାଂଶୁ ସେନାପତି ଓ ମୁସ୍ତାକ ବେଗ୍‌ଙ୍କୁ କେହି କିଣି ନଥିଲେ। ଉଭୟଙ୍କ ମୂଳ ଦର ୨୦ ଲକ୍ଷ ରହିଥିଲା।