ଅଷ୍ଟ୍ରେଲିଆ ଆଗରେ ୧୭୫ ରନର ଲକ୍ଷ୍ୟ ରଖିଲା ଭାରତ
ରାୟପୁର : ୪ର୍ଥ ଟି-୨୦ରେ ଅଷ୍ଟ୍ରେଲିଆ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଭାରତ । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ଋତୁରାଜ ଗାଏକ୍ବାଡ୍ ଓ ଯଶସ୍ବୀ ଜୟସ୍ବାଲ ସତର୍କତାର ସହ ଇନିଂସ ଆରମ୍ଭ କରିବା ସହ ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୦ ରନ କରିଥିଲେ । ଜୟସ୍ବାଲ ୩୭ ରନରେ ଆଉଟ ହେବା ପରେ ଶ୍ରେୟସ ଆୟର ୮ ରନ ଓ ଅଧିନାୟକ ସୂର୍ଯ୍ୟକୁମାର ମାତ୍ର ୧ ରନରେ ଆଉଟ ହୋଇଥିଲେ । ଏହି ସମୟରେ ଭାରତର ସ୍କୋର ୬୩/୩ ଥିଲା । ତେବେ ଏହା ପରେ ଆସିଥିବା ରିଙ୍କୁ ସିଂ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସେ ପ୍ରଥମେ ଗାଏକ୍ବାଡ୍ ଓ ଜିତେଶ ଶର୍ମାଙ୍କ ସହ ଉପଯୋଗୀ ପାର୍ଟନରସିପ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଗାଏକ୍ବାଡ୍ ୩୨ରନ କରିଥିବାବେଳେ ରିଙ୍କୁ ୪୬ ରନ ଓ ଜିତେଶ ୩୫ରନ କରିଥିଲେ । ତେବେ ଶେଷବେଳକୁ ଭାରତ ଲଗାତାର ବେଶ କେତୋଟି ଓ୍ବିକେଟ ହରାଇବା ପରେ ସ୍କୋର ୧୭୪/୯ ରେ ସୀମିତ ରହିଥିଲା ।