ଶ୍ରମିକ ଫସିବା ଘଟଣା : ୧୭ ଦିନର ଉଦ୍ଧାର ଅଭିଯାନ
୧୭ ଦିନର ଉଦ୍ଧାର ଅଭିଯାନ ପରେ ଆଜି ଟନେଲ୍ ଉଦ୍ଧାର କାର୍ଯ୍ୟରେ ରାଟ୍ହୋଲ୍ ମାଇନିଂ କୌଶଳ ମଧ୍ୟ ବ୍ୟବହାର କରାଯାଇ ସୁଡ଼ଙ୍ଗ ଭିତରକୁ ପାଇପ୍ ଭର୍ତ୍ତି କରାଗଲା ପରେ ସବୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ରାଟ୍ହୋଲ୍ ମାଇନିଂ କୌଶଳରେ ଭୁଶୁଡ଼ି ପଡ଼ିଥିବା ପଥର, ମାଟି ଓ କଂକ୍ରିଟକୁ ହାତରେ ସଫା କରାଯାଇ ରାଟ୍ହୋଲ୍ ମାଇନିଂ କୌଶଳର ଉପଯୋଗରେ ଶ୍ରମିକଙ୍କ ପାଖରେ ପହଞ୍ଚିବାରେ ଉଦ୍ଧାରକାରୀ ଦଳ ସକ୍ଷମ ହେଲେ।ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ଜଣ ଶ୍ରମିକ ଉଦ୍ଧାର ହେଲେ । ୧୭ଦିନ ଧରି ଚାଲିଥିବା ଖନନ କାର୍ଯ୍ୟ ଶେଷ ହେବା ପରେ ଏବେ ଶ୍ରମିକମାନଙ୍କୁ ମେଡିକାଲ ନିଆଯାଇଛି । ନଭେମ୍ବର ୧୨ରେ ଶ୍ରମିକମାନେ ସବୁଦିନ ଭଳି ଟନେଲ ଭିତରକୁ କାମ କରିବା ପାଇଁ ଯାଇଥିଲେ। ସକାଳ୫ଟା ୩୦ରେ ହଠାତ୍ ଭୂସ୍ଖଳନ ଆରମ୍ଭ ହେବାରୁ ଅନେକ ଶ୍ରମିକ ବାହାରକୁ ଚାଲିଆସିଥିଲେ। ହେଲେ ହଠାତ୍ ନିର୍ମାଣାଧୀନ ଟନେଲର ୬୦ମିଟର ଅଂଶ ଧସିବାରୁ ୪୧ଜଣ ଶ୍ରମିକ ଟନେଲ ଭିତରେ ଫସି ଯାଇଥିଲେ। ନଭେମ୍ବର ୧୨ରେ ସୁଡ଼ଙ୍ଗ ଭୁଶୁଡ଼ିବା ପରେ ୧୩ରେ ଫସି ରହିଥିବା ଶ୍ରମିକମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଥିଲା। ସେମାନଙ୍କୁ ଅମ୍ଳଜାନ ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବା ସହ ସେମାନେ ନିରାପଦରେ ଥିବା ସୂଚନା ମିଳିଥିଲା। ନଭେମ୍ବର ୧୪ରେ ୮୦୦ ଏବଂ ୯୦୦ ମିଲିମିଟର ବ୍ୟାସ ବିଶିଷ୍ଟ ଇସ୍ପାତ ପାଇପ ଅଣାଯାଇ ଏକ ଅଗର୍ ମେସିନ୍ ସାହାଯ୍ୟରେ ଭୂସମାନ୍ତର ଗର୍ତ୍ତ ଖନନ ପାଇଁ ବ୍ୟବସ୍ଥା କରାଯାଇଥିଲା। ନଭେମ୍ବର ୧୫ରେ ପ୍ରଥମ ଡ୍ରିଲିଂ ମେସିନର କାର୍ଯ୍ୟଦକ୍ଷତାକୁ ନେଇ ଏନଏଚଆଇଡିସିଏଲ୍ ଅସନ୍ତୁଷ୍ଟ ହେବାରୁ ଦିଲ୍ଲୀରୁ ବିମାନ ସାହାଯ୍ୟରେ ଏକ ଅତ୍ୟାଧୁନିକ ଆମେରିକୀୟ ଆଗର୍ ମେସିନ୍ ଅଣାଯାଇଥିଲା। ନଭେମ୍ବର ୧୭ରେ ଅପରାହ୍ନ ସୁଦ୍ଧା ମେସିନ୍ ପ୍ରାୟ ୨୪ ମିଟର ଡବଲ୍ ଡ୍ରିଲ୍ କରିଥିଲା ଏବଂ ଛଅ ମିଟର ଲମ୍ବ ବିଶିଷ୍ଟ ଚାରିଟି ଏମ୍ଏସ୍ ପାଇପ୍ ସୁଡ଼ଙ୍ଗ ଭିତରକୁ ଭର୍ତ୍ତି କରାଯାଇଥିଲା। ନଭେମ୍ବର ୧୮ରେ ଡ୍ରିଲିଂ ବନ୍ଦ କରିବାକୁ ବିଶେଷଜ୍ଞମାନେ ନିଷ୍ପତ୍ତି ନେଲେ । କାରଣ ଟନେଲ ଭିତରେ ଡିଜେଲ ଚାଳିତ ୧୭୫୦ ହର୍ଷପାୱାର ବିଶିଷ୍ଟ ଆମେରିକୀୟ ଅଗର୍ ମେସିନ୍ ଚାଲିବା ଫଳରେ ତା’ ଦ୍ୱାରା ସୃଷ୍ଟି ହୋଇଥିବା କମ୍ପନ ହେତୁ ଖଣ୍ଡ ଖଣ୍ଡ ହୋଇ ପଥର ଖସିବାକୁ ଲାଗିଲା। ଏଣୁ ବିଶେଷଜ୍ଞମାନେ ପାହାଡ ଉପର ପଟୁ ଏକ ଭୂଲମ୍ବ ଗର୍ତ୍ତ ଖନନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ନଭେମ୍ବର ୨୧ରେ ସୁଡ଼ଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ପ୍ରଥମ ଭିଜୁଆଲ୍ ଆସିଲା। ନୂତନ ୬ ଇଞ୍ଚ ବ୍ୟାସର ପାଇପଲାଇନ ମାଧ୍ୟମରେ ପଠାଯାଇଥିବା ଏକ ଏଣ୍ଡୋସ୍କୋପିକ୍ କ୍ୟାମେରା ଦ୍ୱାରା କଏଦ ହୋଇଥିବା ଭିଡିଓ କ୍ଲିପ୍ ସେଠାରେ କିଛି ଦିନ ଧରି ପଡ଼ି ରହିଥିବା ସମ୍ପର୍କୀୟଙ୍କ ପାଇଁ ଆଶା ସଞ୍ଚାର କରିଥିଲା। ନଭେମ୍ବର ୨୪ରେ ସୁଡ଼ଙ୍ଗରେ ପୁଣି ଡ୍ରିଲିଂ ବନ୍ଦ କରାଗଲା | ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଇଂଜିନିୟର କହିଲେ ଯେ ଅଗର ଡ୍ରିଲିଂ ମେସିନ୍ ଶକ୍ତ ପଥର ସହ ଧକ୍କା ଖାଇବାରୁ ବୈଷୟିକ ସମସ୍ୟା ସୃଷ୍ଟି ହୋଇଥିଲା। ନଭେମ୍ବର ୨୬ରେ ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଆସିଥିବା ‘ଅଗର୍ ମେସିନ୍’ ଅକାମି ହୋଇ ଭଗ୍ନସ୍ତୂପ ମଧ୍ୟରେ ଲାଖିଯିବାରୁ ତାକୁ କାଟି ବାହାର କରିବା ଲାଗି ହାଇଦ୍ରାବାଦରୁ ଗୋଟାଏ ‘ପ୍ଲାଜ୍ମା କଟର୍’ ଆସିଥିଲା। ଏହା ପରେ ‘ଭର୍ଟିକାଲ୍ ଡ୍ରିଲିଙ୍ଗ୍’ ଆରମ୍ଭ କରାଗଲା। ଏହି ଅଭିଯାନରେ ଭାରତୀୟ ସେନାର ଇଂଜିନିୟରଙ୍କୁ ସାମିଲ୍ କରାଗଲା।