ଆଜି କଳିଙ୍ଗରେ ଭାରତ-କତର ମୁକାବିଲା

ଭୁବନେଶ୍ବର:ଆଜି କଳିଙ୍ଗରେ ଭାରତ-କତର ମୁକାବିଲା  । ଫିଫା ବିଶ୍ବକପ୍‌ ୨୦୨୬ ଓ ଏଏଫ୍‌ସି ଏସୀୟ କପ୍‌ ସାଉଦି ଆରବିଆ ୨୦୨୭ ପ୍ରିଲିମିନାରି ଜଏଣ୍ଟ କ୍ବାଲିଫିକେସନ ରାଉଣ୍ଡ ୨ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ କତର। ବିଶ୍ବ ମାନ୍ୟତାରେ ୯୯ତମ ସ୍ଥାନରେ ଥିବା ଭାରତ କେବେ ବି ବିଶ୍ବକପ୍‌ ଖେଳି ନଥିବା ବେଳେ ୨୦୨୬ରେ ଖେଳିବାକୁ ଲକ୍ଷ୍ୟ ରଖିଛି। ହେଲେ ଏହି ଲକ୍ଷ୍ୟ ସହଜ ନୁହେଁ। ରାଉଣ୍ଡ-୨ରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ତୃତୀୟ ରାଉଣ୍ଡରେ ପହଞ୍ଚିବାକୁ ପଡ଼ିବ। ଏଥିରେ ସଫଳ ହେଲେ ବିଶ୍ବକପ୍‌ ଟିକେଟ୍‌ ହାତେଇବ। ରାଉଣ୍ଡ-୨ରେ ଭାରତର ଆରମ୍ଭ ଭଲ ରହିଛି। ପ୍ରଥମ ମ୍ୟାଚ୍‌ରେ ଏହି ଦଳ କୁଏତକୁ ୧-୦ ଗୋଲ୍‌ରେ ହରାଇ ଦେଇଛି। ଏହି ବିଜୟ ପରେ ସୁନିଲ ଛେତ୍ରୀଙ୍କ ନେତୃତ୍ବାଧୀନ ଦଳ ଘରୋଇ ପଡ଼ିଆରେ କତରକୁ ହରାଇ ବିଜୟ ଧାରା ଜାରି ରଖିବାକୁ ଚାହିବ। ଆୟୋଜକ ଭାବେ ବିଶ୍ବକପ୍‌ ଖେଳି କତର ଅଭିଜ୍ଞତା ହାସଲ କରିଛି। ଏଥିସହ କତର (୬୧) ମାନ୍ୟତା‌ରେ ଭାରତଠୁ ବହୁ ଆଗରେ ରହିଛି।