ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ (ନଭେମ୍ବର ୨୦ ତାରିଖ) ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ତିନିଦିନିଆ ଗସ୍ତ କାଳରେ ମହାମହିମ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଗସ୍ତକାଳରେ ବାରିପଦା, ରାଇରଂଗପୁର, ପାହାଡ଼ପୁର, ବାଦାମପାହାଡ଼, ସମ୍ବଲପୁର ଓ ବୁର୍ଲାରେ ଆୟୋଜିତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ, ମହାମହିମ ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୦ ତାରିଖ (ସୋମବାର) ବାରିପଦାଠାରେ ପୂର୍ବାହ୍ନ ୧୧ଟା ୨୫ରୁ ଅପରାହ୍‌ଣ ୧୨ଟା ୨୫ ପର୍ଯ୍ୟନ୍ତ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିବେ। ଏହା ପରେ ସେ ଅପରାହ୍‌ଣ ୨ଟା ୩୫ରୁ ୩ଟା ୧୫ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଷ୍ଟ୍ରପତି ଲୋକାର୍ପଣ କରିବେ।