ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଦେଖିବେ ପ୍ରଧାନମନ୍ତ୍ରୀ ମୋଦୀ!

ଅହମଦାବାଦ : ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୩ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯିବ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ ଦେଖିବାକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀଙ୍କ ସହ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲ୍ସ ମଧ୍ୟ ଉପସ୍ଥିତ ରହିବେ। ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ଗ୍ରହଣ କରିଛି ବୋଲି ଜଣାପଡିଛି। ଚଳିତ ବିଶ୍ବକପ୍‌ରେ ଭାରତ ଦମ୍‌ଦାର ଫର୍ମରେ ରହିବା ସହ ଅପରାଜେୟ ଭାବେ ଫାଇନାଲ ଖେଳୁଛି। ଲିଗ୍‌ ପର୍ୟ୍ୟାୟରେ ସମସ୍ତ ମ୍ୟାଚ ବିଜୟ ସହ ସେମିରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲ ଖେଳିବ ଭାରତ। ତେବେ ଅଷ୍ଟ୍ରେଲିଆ ପ୍ରଥମ ଦୁିଇଟି ଲିଗ୍‌ ମ୍ୟାଚ୍‌ ହାରିବା ପରେ ପୁଣି ଭଲ କମ୍‌ବ୍ୟାକ୍‌ କରି ୭ଟି ଲିଗ୍‌ ମ୍ୟାଚ୍‌ ବିଜୟ ଏବଂ ସେମିରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଦୁଇଟି ଟିମ୍‌ ଭଲ ଫର୍ମରେ ଥିବାରୁ ଫାଇନାଲ ମ୍ୟାଚ୍‌ ରୋମାଞ୍ଚପୁର୍ଣ୍ଣ ହେବ ବୋଲି କୁହାଯାଉଛି।