ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ଆଜି
ମୁମ୍ବାଇ: ଦିନିକିଆ ବିଶ୍ବକପ୍ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ଆଜି ଖେଳାଯିବ । ସେମିଫାଇନାଲ୍ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଦୁଇ ଦଳ ଉଦ୍ୟମ କରିବେ। କେବଳ ଭାରତ ସବୁ ଲିଗ୍ ମ୍ୟାଚ୍ ଜିତି ମନୋବଳକୁ ଉଚ୍ଚ ରଖିଥିଲା ବେଳେ ନ୍ୟୁଜିଲାଣ୍ଡ ୪ ମ୍ୟାଚ୍ରେ ପରାସ୍ତ ହୋଇଛି। ଭାରତ ପ୍ରତ୍ୟେକ ବିଭାଗରେ ଉନ୍ନତମାନର ପ୍ରଦର୍ଶନ ଦେଇଛି। କିନ୍ତୁ ବ୍ୟାଟର୍ ଓ ବୋଲରଙ୍କ ମଧ୍ୟରେ ଯଦି ତୁଳନା କରାଯାଏ, ତାହେଲେ ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ମହମ୍ମଦ ସିରାଜଙ୍କୁ ନେଇ ଗଠିତ ଦ୍ରୁତ ବୋଲିଂ ବାହିନୀ ଭାରତୀୟ ଦଳକୁ ଯେଉଁ ଶକ୍ତି ପ୍ରଦାନ କରିଛି, ତାହା ଅନ୍ୟ କେଉଁ ଦଳ ପାଖରେ ଦେଖିବାକୁ ମିଳିନି। ଏହି ତିନିଜଣଙ୍କ ଆଗରେ ଅଧିକାଂଶ ଦଳ ପ୍ରଥମ ପାୱାରପ୍ଲେରେ ୫୦ ରନ୍ ପାଖରେ ପହଞ୍ଚିବାକୁ ସଂଘର୍ଷ କରିଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ଆହତ ପରେ ଭାରତ ୫ ବୋଲରଙ୍କୁ ନେଇ ଖେଳିଆସୁଛି। ଉପରୋକ୍ତ ତିନି ଦ୍ରୁତ ବୋଲରଙ୍କ ସହ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ସ୍ପିନ ବିଭାଗ ସମ୍ଭାଳୁଛନ୍ତି। ଏଭଳି ସ୍ଥିତିରେ ଯଦି କୌଣସି ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୁଅନ୍ତି, ତାହେଲେ ରୋହିତ ଶର୍ମାଙ୍କ ପାଖରେ ଷଷ୍ଠ ବୋଲରଙ୍କ ବିକଳ୍ପ ନାହିଁ। ସେପଟେ ନ୍ୟୁଜିଲାଣ୍ଡ ଲଗାତାର ୪ ମ୍ୟାଚ୍ରେ ବଡ଼ବଡ଼ ଦଳଙ୍କଠୁ ପରାସ୍ତ ହେବା ପରେ ସେମିରେ ପହଞ୍ଚିବାକୁ ଶ୍ରୀଲଙ୍କା ବିଜୟ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ଭାରତୀୟ ଦଳ ଏହି ପରିସ୍ଥିତି ବିଷୟରେ ଭଲ ଭାବେ ଜାଣିଛି। ନ୍ୟୁଜିଲାଣ୍ଡର ଆତ୍ମବିଶ୍ବାସ କମିଯାଇଥିଲା ବେଳେ ରୋହିତଙ୍କ ସେନା ଏହାର ଭରପୂର ଫାଇଦା ଉଠାଇବାକୁ ଚେଷ୍ଟା କରିବେ।