ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବନ କଲା ଆଇସିସି

ଶ୍ରୀଲଙ୍କା ହରାଇଲା ଆଇସିସି ସଦସ୍ୟତା। ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବନ କଲା ଆଇସିସି। ଶ୍ରୀଲଙ୍କା ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଆଇସିସିର ପଦକ୍ଷେପ। ଆଇସିସି ବୋର୍ଡ ପକ୍ଷରୁ ଆଜି ବିସିଥିବା ଜରୁରୀକାଳିନ ବୈଠକରେ ଶ୍ରୀଲଙ୍କା କ୍ରିକେଟର ସଦସ୍ୟତା ପଦକୁ ରଦ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ନିକଟରେ ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ କ୍ରିକେଟ୍ ବୋର୍ଡକୁ ସ୍ଥଗିତ ରଖି ଏକ ମଧ୍ୟବର୍ତ୍ତୀ କମିଟି ଗଠନ କରିଛନ୍ତି, ଯାହା ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ, ଯିଏ ୧୯୯୬ ମସିହାରେ ଶ୍ରୀଲଙ୍କାକୁ ବିଶ୍ୱ ଚାମ୍ପିଅନ୍ କରିଥିଲା । ଏହା ବ୍ୟତୀତ ମଧ୍ୟବର୍ତ୍ତୀ କମିଟିରେ ଆହୁରି ୫ ଜଣ ଲୋକ ଅଛନ୍ତି, ଯେଉଁମାନେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତି ରହିଛନ୍ତି। ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ଏହି ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରିଛନ୍ତି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର କାର୍ଯ୍ୟର ତଦାରଖ କରିବ ।କ୍ରିକେଟ ବୋର୍ଡ ଏକ ସ୍ବୟଂଶାସିତ ସଂସ୍ଥା। ଆଇସିସିର ସ୍ଥାୟୀ ସଦସ୍ୟ ଭାବେ ସବୁ ପ୍ରକାରର ନିୟମ ଉଲ୍ଲଙ୍ଘନ କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ। କାରଣ  କ୍ରିକେଟ ବୋର୍ଡରେ ସରକାର କୌଣସି ହସ୍ତକ୍ଷେପ କରିପାରିବେ ନାହିଁ। ତେବେ ୧୯୯୨ ମସିହା ପରଠାରୁ ବିଶ୍ୱକପରେ ଶ୍ରୀଲଙ୍କା ସବୁଠୁ ଖରାପ ପ୍ରଦର୍ଶନ କରିଛି। ଚଳିତ ବିଶ୍ୱକପରେ ୯ ମ୍ୟାଚ୍ ମଧ୍ୟରୁ କେବଳ ଦୁଇଟି ଜିତିପାରିଛି ଦଳ।  ପୂର୍ବତନ ଚାମ୍ପିୟନ ଦଳର ଅନେକ ଖେଳାଳି ଆହତ ହୋଇଥିଲା ବେଳେ ଟୁର୍ନାମେଣ୍ଟ ମଝିରେ କ୍ୟାପଟେନଙ୍କୁ ପରିବର୍ତ୍ତନ କରିବାକୁ ପଡିଥିଲା।