ହୃଦଘାତ ହେବାରୁ ଚାଲିଗଲା ୨୯ବର୍ଷୀୟ ମଡେଲଙ୍କ ଜୀବନ
ପ୍ଲାଷ୍ଟିକ ସର୍ଜରୀ ନେଲା ମଡେଲଙ୍କ ଜୀବନ। ବ୍ରାଜିଲିଆନ ମଡେଲ ଲୁଆନା ଆଣ୍ଡ୍ରାଡେଙ୍କ ଦେହାନ୍ତ ହୋଇଛି। ଲୁନାଙ୍କୁ ମାତ୍ର ୨୯ବର୍ଷ ହୋଇଥିଲା। ଲୁଆନା ବ୍ରାଜିଲର ଜଣେ ଲୋକପ୍ରିୟ ମଡେଲ ଏବଂ ଅଭିନେତ୍ରୀ ଥିଲେ। ସୂଚନା ମିଳିଛି ଯେ, ହୃଦଘାତରେ ଅଭିନେତ୍ରୀ ଙ୍କ ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ, ପ୍ଲାଷ୍ଟିକ ସର୍ଜରୀ ସମୟରେ ଅଭିନେତ୍ରୀ ଥରେ ନୁହେଁ ଚାରିଥର ହୃଦଘାତର ଶିକାର ହୋଇଥିଲେ, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି।ସାଓ ପାଉଲୋ ନିବାସୀ ଲୁଆନା ଆଣ୍ଡ୍ରାଡେ ଲିପୋସେକ୍ସନ୍ ସର୍ଜରୀ କରାଉଥିଲେ। ଲିପୋସେକ୍ସନ୍ ହେଉଛି ଏକ କସମେଟିକ୍ ସର୍ଜରୀ। ଏହି ସର୍ଜରୀ ବେଳେ ଲୁଆନାଙ୍କର ହୃଦଘାତ ହୋଇଥିଲା। ହୃଦଘାତ ହେବା ଦେଖି ଡାକ୍ତର ସର୍ଜରୀ ବନ୍ଦ କରିଥିଲେ ଓ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ହେଲେ ଲଗାତାର ୪ଥର ହୃଦଘାତ ହେବାରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତାଙ୍କର ମୃତ୍ୟୁ ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।