ଇସ୍ରାଏଲରେ ଅଟକି ରହିଛି ନିର୍ମାଣ କାମ, ଭାରତକୁ ମାଗିଲା ୧ ଲକ୍ଷ ଶ୍ରମିକ

ଇସ୍ରାଏଲ-ହମାଜ ଯୁଦ୍ଧ ପାଇଁ ଇସ୍ରାଏଲରେ ଅଟକି ରହିଛି ବିଭିନ୍ନ ପ୍ରକଳ୍ପର ନିର୍ମାଣ କାମ  । ପାଲେଷ୍ଟାଇନ ଲୋକଙ୍କୁ ଇସ୍ରାଏଲ ଛାଡିବା ପାଇଁ କୁହାଯାଇଛି । ଏହାରି ଭିତରେ ଇସ୍ରାଏଲ ୧ ଲକ୍ଷ ଶ୍ରମିକ ଭାରତକୁ ମାଗିଛି । ସେମାନଙ୍କୁ ୯୦ ହଜାର ଫିଲିସ୍ତାନୀଙ୍କ ବଦଳରେ ରଖାଯିବ । ଅକ୍ଟୋବର ୭ରେ ଇସ୍ରାଏଲ ସୀମା ମଧ୍ୟରେ ପ୍ରବେଶ କରି ହମାସ ନାରକୀୟ କାଣ୍ଡ ରଚିଥିଲା । ଏହା ପରେ ଇସ୍ରାଏଲ ଫିଲିସ୍ତାନୀଙ୍କ ପରମିଟ ବାତିଲ କରିଦେଇଥିଲା । ଇସ୍ରାଏଲର ନିର୍ମାଣ ସହ ଜଡିତ କମ୍ପାନୀରେ ଫିଲିସ୍ତାନୀ ଶ୍ରମିକ କାମ କରିଥାନ୍ତି । ଏବେ ସେମାନଙ୍କୁ ହଟାଯିବା ଫଳରେ ଇସ୍ରାଏଲର ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକି ଯାଇଛି । ଭାରତ-ଇସ୍ରାଏଲ ମଧ୍ୟରେ ଶ୍ରମିକଙ୍କୁ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ମେ ମାସରେ ଇସ୍ରାଏଲର ବିଦେଶ ମନ୍ତ୍ରୀ ଏଲୀ କୋହେନ ଭାରତ ଗସ୍ତରେ ଆସିଥିବା ବେଳେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଯାହା ଅନୁସାରେ ଭାରତର ୪୨୦୦୦ ଶ୍ରମିକ ଇସ୍ରାଏଲ ଯିବେ ଏବଂ କନଷ୍ଟ୍ରକ୍ସନ ଫିଲ୍ଡରେ କାମ କରିବେ ।