ଜୁନାଗଡ ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କଳାହାଣ୍ଡି ଜିଲ୍ଲାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଇନ୍ଦ୍ରାବତୀ ଜଲଭଣ୍ଡାର ବିଚ୍ଛିନ୍ନାଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ନର୍‌ଲା ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଆମପାଣି ବୁଢାରାଜା ମନ୍ଦିର, ଧର୍ମଗଡ ମା’ ଭଣ୍ଡାରଘରଣୀ ମନ୍ଦିର ଓ କରକ ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ସାମିଲ। ଧର୍ମଗଡ ଯଶୋଦା ଆଶ୍ରମ ହଷ୍ଟେଲ ପାଇଁ ୩.୨୧ କୋଟି ଟଙ୍କା ମଞ୍ଜୁର କରାଯାଇଛି।ଏଥିରେ କଲମପୁର ଓ ଜୁନାଗଡ ବ୍ଲକରେ ହାତୀ ନଦୀର ବାମ ପାର୍ଶ୍ୱ ବନ୍ଧର ସୁଦୃଢିକରଣ ପାଇଁ ୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ଜୁନାଗଡ ମା’ ଲଙ୍କେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଗୋଟିଏ କଲେଜ ଓ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପାନ୍ତର ସାମିଲ। ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬୦.୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ପ୍ରସିଦ୍ଧ ମା’ ମାଣିକେଶ୍ୱରୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ନିକଟରେ କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମା’ ମାଣିକେଶ୍ୱରୀଙ୍କ ନାମରେ  ନାମିତ କରିଛନ୍ତି। ଥୁଆମୂଳ-ରାମପୁର ଜଗନ୍ନାଥ ମନ୍ଦିର, ପିପଳନଳାଠାରେ ପର୍ଯ୍ୟଟନ ବିକାଶ, ରାବଣଧାରା ଜଳପ୍ରପାତ ପର୍ଯ୍ୟଟନ ବିକାଶ ଆଦି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଭଟଙ୍ଗପଦର ଓ କାଚଲେଖାଠାରେ ୧୨୦ ଆସନ ବିଶିଷ୍ଟ ୩ଟି ହଷ୍ଟେଲ ନିର୍ମାଣ କରାଯିବ।