ଲିଙ୍ଗରାଜଙ୍କ ନୀତି ବିଭ୍ରାଟ

lingraj temple

ଭୁବନେଶ୍ବର: ଦୁଇଦିନ ପରେ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ନୀତି ସ୍ବାଭାବିକ ହୋଇ ପାରିଲା ନାହିଁ। ବୁଧବାର ସକାଳୁ ସିଂହଦ୍ୱାର ଖୋଲା ନୀତି ପରଠାରୁ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଛି। ନୀତିକାନ୍ତି ଠିକ୍‌ କରିବା ପାଇଁ ଦେବୋତ୍ତର କମିସନରଙ୍କ ପ୍ରୟାସ ମଧ୍ୟ ସଫଳ ହୋଇନାହିଁ। କମିସନରଙ୍କ ସହ ଆଜି ତିନି ନିଯୋଗଙ୍କ ପୃଥକ ପୃଥକ ବୈଠକ ଅସଫଳ ହେବା ଯୋଗୁଁ ନୀତି ସ୍ବାଭାବିକ କେବେ ହେବ ତାକୁ ନେଇ ଅନିଶ୍ଚିତା ଜାରି ରହିଛି। ଅନ୍ୟପଟେ ଦେବୋତ୍ତର କମିସନର ଏହି ବିବାଦର ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପକ୍ଷ ରାଜି ନହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ସହ ପୁରୁଣା ବିବାଦ ଓ ନୀତିକାନ୍ତି ବନ୍ଦ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଗାଁ ମୌଜା ସାମନ୍ତରାପୁର ଗଙ୍ଗଆ ନାଳ ନିକଟରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ୨ ଏକର ୬୩ ଡେସିମିଲ୍‌ ଜମି ଉପରେ ବଡ଼ୁ ନିଯୋଗ ବେଆଇନ ନିର୍ମାଣ କରୁଥିବା ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ବୁଧବାରଠାରୁ ଠାକୁରଙ୍କ ନୀତିରୁ ଦୂରେଇ ରହିଛନ୍ତି। ଭକ୍ତଙ୍କ ପାଇଁ ସାହାଣମେଲା ଦର୍ଶନ ଖୋଲା ରହିଥିଲେ ଦେବ ନୀତି ବନ୍ଦ ରହିଛି। ଦିନକୁ ୮ ଥର ଭୋଜନ କରୁଥିବା ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଅବଢ଼ା ଠାରୁ ଆରମ୍ଭ କରି ଅନ୍ୟ ଭୋଗ କରା ଯାଉନାହିଁ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।