ପାକିସ୍ତାନକୁ ହରାଇଲା ଆଫଗାନିସ୍ତାନ

ଚେନ୍ନାଇ : ଚେନ୍ନାଇର ଚିପକ୍ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ମ୍ୟାଚରେ ପାକିସ୍ତାନକୁ ୮ ଓ୍ବିକେଟରେ ହରାଇଦେଇଛି ଆଫଗାନିସ୍ତାନ । ଏହା ପୂର୍ବରୁ ଆଫଗାନ ଦଳ ଇଂଲଣ୍ଡକୁ ହରାଇ ବିସ୍ମୟ ସୃଷ୍ଟି କରିଥିଲା ।  ପାକିସ୍ତାନ ଦଳ ଆଫଗାନିସ୍ତାନ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଥିଲା । ଏହି ଟାର୍ଗେଟ ଆଫଗାନିସ୍ତାନ ଦଳ ପାଇଁ ଚ୍ୟାଲେଂଜ ହୋଇଥିଲେ ମଧ୍ୟ ଧର୍ଯ୍ୟର ସହ ଖେଳି ରେହମାନୁଲ୍ଲା ଗୁରବାଜ ୬୫ ରନ କରିଥିବାବେଳେ ଇବ୍ରାହିମ ଜଦରାନ ୮୭ ରନ କରି ଦଳକୁ ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।  ରହମତ ଶାହ ୭୭ ରନ ଓ ହସମାତୁଲ୍ଲା ସହିଦି ୪୮ ରନ କରି ପାକିସ୍ତାନକୁ ହରାଇବାରେ ସହଯୋଗ କରିଥିଲେ । ପାକିସ୍ତାନ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଦୁଇ ଓପନର ଅବଦୁଲ୍ଲା ସଫିକ୍ ଓ ଇମାମ-ଉଲ-ହକ୍ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଅନ୍ୟ ଖେଳାଳିମାନେ ଏହାକୁ ଆଗକୁ ନେଇପାରିନଥିଲେ ।  ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୬ରନ କରିଥିରେ । ହକ୍ ମାତ୍ର ୧୭ ରନ କରି ଆଉଟ ହେବା ପରେ ଅଧିନାୟକ ବାବର ଆଜମଙ୍କ ସହ ମିଶି ସଫିକ୍ ଆଉ ଏକ ଭଲ ପାର୍ଟନରସିପ କରିଥିଲେ । ସଫିକ୍ ୫୮ରନ ଓ ବାବର ୭୪ ରନ କରିଥିଲେ । ମାତ୍ର ମହମ୍ମଦ ରିଜଓ୍ବାନ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ତେବେ ଶେଷ ଓଭରଗୁଡ଼ିକରେ ସଦାବ ଖାଁ ଓ ଇଫତିଖାର ଅହମ୍ମଦ ଲଢୁଆ ବ୍ୟାଟିଂ କରି ପାକିସ୍ତାନର ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ଇଫତିଖାର ଓ ସଦାବ ୪୦ ରନ ଲେଖାଏଁ କରି ଆଉଟ ହୋଇଥିଲେ ।  ପାକିସ୍ତାନ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୮୨ ରନ କରିଥିଲା । ଏହି ବିଜୟ ପରେ ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ପାକିସ୍ତାନକୁ ବିଶ୍ବକପରେ ହରାଇଛି ଆଫଗାନିସ୍ତାନ । ଆଜି ପର୍ଯ୍ୟନ୍ତ ପାକିସ୍ତାନ ୭ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଥିଲା । ଏବେ ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ୪ ମ୍ୟାଚ୍ ବାକି ଥିବା ବେଳେ ସବୁ ମ୍ୟାଚ୍ ଜିତିଲେ ସେମି ଫାଇନାଲ ଖେଳିବ ପାକିସ୍ତାନ  ।