ଗାଜାରେ ୧୦ ଲକ୍ଷ ବିସ୍ଥାପିତ

ଇସ୍ରାଏଲ- ହମାସ ଯୁଦ୍ଧ ଚାଲିଛି । ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଇସ୍ରାଏଲ ସେନା କେବଳ ଗାଜାରେ ବୋମାମାଡ଼ କରୁନାହିଁ  ‌ଲେବାନନ୍‌ର ସୀମାପର ଗୁଳିବର୍ଷା ଅତି ଭୀଷଣ ହୋଇଥିବା ବେଳେ ସିରିୟାର ଡାମାସ୍କସ ଓ ଆଲେପୋରେ ଇସ୍ରାଏଲ ବିଭିନ୍ନ ପର୍ଯ୍ୟାୟରେ କ୍ଷେପଣାସ୍ତ୍ର ମାଡ଼ କରିଛି। ହମାସ ଆତଙ୍କବାଦୀମାନେ ୨୧୨ ଜଣଙ୍କୁ ଗାଜାରେ ପଣବନ୍ଦୀ କରି ରଖିଛନ୍ତି ଏବଂ ସେମାନଙ୍କୁ ମାନବ ଢାଲ ଭାବେ ବ୍ୟବହାର କରୁଛି। ପଣବନ୍ଦୀଙ୍କୁ ଛାଡ଼ିବା ନେଇ ଅନେକ ବିଭ୍ରାନ୍ତିକର ଖବର ପ୍ରଚାର କରାଯାଉଥିବାରୁ ଇସ୍ରାଏଲ କର୍ତ୍ତୃପକ୍ଷ ଏହାର କଡ଼ା ବିରୋଧ କରିଛନ୍ତି। ଦୁଇଦିନ ମଧ୍ୟରେ ୱେଷ୍ଟ୍‌ବ୍ୟାଙ୍କରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ପରେ ୭୦୦ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛ। ସେମାନଙ୍କ ମଧ୍ୟରେ ୪୮୦ ଜଣ ହମାସ୍‌ ଆତଙ୍କବାଦୀ ରହିଥିବା କୁହାଯାଇଛି । ପାଲେଷ୍ଟାଇନରେ ବୋମା ଓ କ୍ଷେପଣାସ୍ତ୍ର ମାଡ଼ରେ ଏ ପର୍ଯ୍ୟନ୍ତ ୪୭୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭ ହଜାର ଲୋକ ଆହତ ହୋଇଛନ୍ତି। ଗାଜାର ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ୧୦ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।ହେଜବୋଲ୍ଲା ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କରିଥିବାରୁ ଆଜି ଆମେରିକା ପୁଣି ଥରେ ଇରାନକୁ ଚେତାବନୀ ଦେଇ ଇସ୍ରାଏଲ-ହମାସ ସଂଘର୍ଷରୁ ଦୂରେଇ ରହିବା ପାଇଁ କହିଛି। ଆମେରିକା ମଧ୍ୟପ୍ରାଚ୍ୟରେ ସୈନ୍ୟ ମୁତୟନ ବଢ଼ାଇବା ସହ ଯୁଦ୍ଧ ବିମାନ ମୁତୟନରେ ମଧ୍ୟ ବୃଦ୍ଧି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ହେଜବୋଲ୍ଲାର ପ୍ରାୟ ୬ ଜଣ କମାଣ୍ଡର ସମେତ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଏହା ଇସ୍ରାଏଲ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି ।