ଗାଜା ଉପରେ ଇସ୍ରାଏଲ କରିବ ଜୋରଦାର ଆକ୍ରମଣ

ଗାଜା ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ ଆଜିଠୁ କରିବ। ଚାଲିଛି ଯୁଦ୍ଧକାଳୀନ ଏଭାକୁଏସନ । ନିରାପଦ ପଳାୟନ ଲାଗି ରୁଟ୍ ବି ପ୍ରସ୍ତୁତ ହୋଇଛି । ନାଗରିକଙ୍କୁ ଗାଜା ଷ୍ଟ୍ରିପ୍‌ ଛାଡ଼ିବାପାଇଁ ୨୪ ଘଣ୍ଟାର ସମୟ ଦେଇଥିବା ଇସ୍ରାଏଲ ସେନା  ଗାଜାରେ ଅନେକ ହମାସ୍‌ ପୋଷ୍ଟ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି। ସ୍ଥଳ କ୍ଷେତ୍ରରେ ଲଢ଼େଇ ଆରମ୍ଭ ହେବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ  ହମାସ୍‌କୁ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି, ଏବେ ପାଲଟା ଜବାବ ଦେବା ଆରମ୍ଭ ହେଲା।  ଆମେ କେବେ ବି କ୍ଷମା କରିବୁନି। ଶତ୍ରୁଙ୍କ ସହ ଲଢ଼େଇର କୌଣସି ସୀମା ରହିବନି ।ହମାସର ହିଂସ୍ର ଆଚରଣକୁ ନିନ୍ଦା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଇହୁଦିଙ୍କ ସୁରକ୍ଷା ଲାଗି ସମସ୍ତ ପଦକ୍ଷେପ ନେବା ସହ ଯୁଦ୍ଧାସ୍ତ୍ର ମୁତୟନ କରାଯିବ ବୋଲି ସେ କହିଛନ୍ତି । ଉତ୍ତର ଇସ୍ରାଏଲରେ ରକେଟ ହମଲା କରିଛି ଲେବାନନର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା । ଇସ୍ରା‌ଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଗତ ୨୪ ଘଣ୍ଟା ମଧ୍ୟ‌ରେ ଗାଜାରେ ହମାସ୍‌ ପୋଷ୍ଟ୍‌କୁ ଟା‌ର୍ଗେଟ୍‌ କରି ଚଢ଼ଉ ଆରମ୍ଭ କରିଛି। ହମାସ୍‌ ଆତଙ୍କବାଦୀଙ୍କୁ ନିପାତ ସହ ପଣବନ୍ଦୀ ଥିବା ନାଗରିକଙ୍କୁ ଚିହ୍ନଟ କରିବାପାଇଁ ଏହି ଚଢ଼ଉ ଆରମ୍ଭ ହୋଇଛି। ଆଇଡିଏଫ୍‌ ପକ୍ଷରୁ ଚଢ଼ଉର ଏକ ଭିଡିଓ ‌ଏକ୍ସରେ ସେୟାର କରାଯାଇଛି। ହମାସ୍‌ ଦ୍ବାରା ପ୍ରଥମେ ଇସ୍ରାଏଲକୁ ରକେଟ୍‌ ମାଡ଼ ହେବାପରେ ଇସ୍ରାଏଲ ସେନା ଏହି ଚଢ଼ଉ ଆରମ୍ଭ କରିଛି। ହମାସ୍‌ର ଭିତ୍ତିଭୂମି ଏବଂ ରକେଟ୍‌ ସାଇଟ୍‌କୁ ଧ୍ବଂସ କରିବାପାଇଁ ଆଇଡିଏଫ୍‌ ଏହି ଚଢ଼ଉ ଆରମ୍ଭ କରିଛି।