ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ : ମାଲକାନଗିରିର ଏମଭି ୩ ବୁଲିଲେ ମୁଖ୍ୟମନ୍ତ୍ରୀ ନବୀନ
ମାଲକାନଗିରି: ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା । ମାଲକାନଗିରି ଷ୍ଟାଡିୟମରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ପରେ ନିଜେ ବସରେ ବସି ଏମଭି-୩ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଉଭୟ ପାର୍ଶ୍ବରେ ଶହ ଶହ ଜନତାଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଆଦିବାସୀଙ୍କ ସହ ଭାବବିନିମୟ କରିଥିଲେ। ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ ମାଲକାନଗିରି । ଏଠାରୁ ଟଙ୍କିକିଆ ଚାଉଳ ଏବଂ ବିଏସକେୱାଇ ହେଲଥ କାର୍ଡର ଶୁଭାରମ୍ଭ ହୋଇଥିଲା । ଏହିଠାରୁ ମହିଳାଙ୍କ ଲାଗି ୧୦ ଲକ୍ଷ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମଧ୍ୟ ପ୍ରସ୍ତାବ ଆସିଥିଲା । ସିଏମଓଙ୍କ ଗସ୍ତବେଳେ ଗମନାଗମନ ଅସୁବିଧା ଜାଣିବା ପରେ ଏହିଠାରୁ ଲକ୍ଷ୍ମୀ ବସ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାଲକାନଗିରିରେ ପତାକା ଦେଖାଇ ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମାଲକାନଗିରି ତାଙ୍କର ବହୁତ ପ୍ରିୟ। ଲକ୍ଷ୍ମୀ ଯୋଜନା ମାଲକାନଗିରି ଅର୍ଥନୀତିକୁ ସମୃଦ୍ଧ କରିବ। ଜିଲ୍ଲାରେ ୩୬ଟି ବସ ସେବା ଯୋଗାଇବ। ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ବସ ସୁବିଧା ମିଳିବ । ଅର୍ଥନୀତି ସୁଦୃଢ ହେବ, ଗାଁ ଗାଁରେ ସମୃଦ୍ଧି ଆଣିବ । ଘରେ ଘରେ ଖୁସି ଆଣିବ । ଗୁରୁପ୍ରିୟା ସେତୁ ମାଲକାନଗିରି ବିକାଶର ମାଇଲଖୁଣ୍ଟ। ଲକ୍ଷ୍ମୀ ଯୋଜନା ଦ୍ବାରା ମାଲକାନଗିରି ବିକାଶ ଆହୁରି ଉଜ୍ଜ୍ୱଳ ହେବ। ପଞ୍ଚାୟତରୁ ଜିଲ୍ଲାକୁ ଏହି ଯୋଜନା ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ସମୟରେ ପୂରା ଓଡ଼ିଶାରେ ବସ୍ ଚଳାଚଳ କରିବ। ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଚାଲିଛି ଲକ୍ଷ୍ମୀ ବସ।