ଭାରତ ୮ ୱିକେଟ୍‌ରେ ଜିତିଲା

ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫ୍‌ଗାନିସ୍ତାନ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି। ଅତିଥି ଟିମ୍‌କୁ ଆୟୋଜକ ଭାରତ ୮ ୱିକେଟ୍‌ରେ ପରାସ୍ତ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ ଆଫଗାନିସ୍ତାନ ପକ୍ଷରୁ ମିଳିଥିବା ୨୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୩୫ ଓଭରରେ ୨ ୱିକେଟ ହରାଇ ପୂରା କରିଛି।

ଆଜି ଭାରତର ବିଜୟକୁ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ସହଜ କରି ଦେଇଥିଲେ। ସେ ୮୪ଟି ବଲ୍‌ ଖେଳି ୧୬ଟି ଚୌକା ଓ ୫ଟି ଛକା ସହିତ ବ୍ୟକ୍ତିଗତ ଭାବେ ୧୩୧ ରନ୍‌ ସଂଗ୍ରହ କରିଥିଲେ। ଏଥି ସହିତ ରୋହିତ ବିଶ୍ବକପ୍‌ ଇତିହାସରେ ସର୍ବାଧିକ ୭ଟି ଶତକ ପୂରା କରିଥିଲେ। ତାଙ୍କ ପରେ ବିଶ୍ବ ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକର ୬ଟି ଶତକ ମାରିଛନ୍ତି। କେବଳ ଏତିକି ନୁହେଁ ବିଶ୍ବକପରେ ରୋହିତ ୧ ହଜାର ରନ୍‌ ପୂରା କରିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା (୫୫୬) ମାରିବାରେ ରେକର୍ଡ କରିଥିଲେ।

ରୋହିତଙ୍କ ବ୍ୟତୀତ ଭାରତର ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ଈଶାନ କିଶନ ବ୍ୟକ୍ତିଗତ ଭାବେ ୪୭ ରନ୍‌ ଯୋଗଦାନ ଦେଇଥିଲେ। ସେ ୪୭ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ଭାରତର ପାଳି ଶେଷ କରିଥିଲେ ବିରାଟ କୋହଲି ଓ ଶ୍ରେୟସ ଆୟର। ଉଭୟ ଖେଳାଳି ଅପରାଜିତ ପାଭିଲିୟନକୁ ଫେରିଥିଲେ। କୋହଲି ୫୬ଟି ବଲ୍‌ ଖେଳି ୬ଟି ଚୌକା ବଳରେ ୫୫ ରନ୍‌ ସଂଗ୍ରହ କରିଥିବା ବେଳେ ଶ୍ରେୟସ ୨୩ଟି ବଲ୍‌ରୁ ୨୫ ରନ୍‌ ସଂଗ୍ରହ କରିଥିଲେ।