ବାହାନଗା ରେଳ ଦୁର୍ଘଟଣାର ଶିକାର ୨୮ପରିଚୟହୀନ ଶବ ଦାହ

ଭୁବନେଶ୍ବର: ଦୀର୍ଘ ସାଢ଼େଚାରି ମାସ ପରେ ଏମ୍‌ସ ଶବସଂରକ୍ଷଣ ଗୃହରେ ପଡ଼ି ରହିଥିବା ବାହାନଗା ରେଳ ଦୁର୍ଘଟଣାର ଶିକାର ୨୮ପରିଚୟହୀନ ଶବକୁ ଦାହ କରାଯାଇଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୪.୩୦ରେ ବିଏମ୍‌ସିର ସ୍ବତନ୍ତ୍ର ବାହନ ଜରିଆରେ କଣ୍ଟେନର ସହିତ ପ୍ରଥମ ୩ଟି ଶବକୁ ଏମ୍‌ସରୁ ଭରତପୁର ମଶାଣିକୁ ନିଆ ଯାଇଥିଲା। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଜୁଇରେ ଶବ ରଖାଯାଇ ବିଧି ବ୍ୟବସ୍ଥା ଅନୁସାରେ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯାଇଛି। ଏହାପରେ ଗୋଟିଏ ପରେ ଶବ ବାହକ ଗାଡ଼ିରେ ଏମ୍‌ଏସରୁ ଭରତପୁର ମଣାଶିକୁ ଶବ ଅଣାଯାଉଥିଲା ଏବଂ ପୂର୍ଣ୍ଣ ସମ୍ମାନର ସହିତ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା। ବହୁଦିନ ଧରି ଫ୍ରିଜର୍‌ରେ ରଖା ଯାଇଥିବାରୁ ଶବରେ ସହଜରେ ନିଆଁ ଧରୁନଥିବା ସୂଚନା ମିଳିଛି। ସେଥିପାଇଁ ଲୁଣ ଓ କିରୋସିନ ବ୍ୟବହାର କରା ଯାଇଥିଲା।  ଭରତପୁର ମଶାଣିରେ ପ୍ରଦୀପ ପୃଷ୍ଟିଙ୍କ ନେତୃତ୍ବରେ ୫ ଜଣ ମହିଳାଙ୍କ ସହିତ ୧୨ ଜଣିଆ ଦଳ ଏହି କାର୍ଯ୍ୟ କରିଥିଲେ। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସଙ୍କ ତତ୍ତ୍ବାବଧାନରେ ଏମ‌୍‌ସ ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ା ଏବଂ ଆନାଟୋମି ବିଭାଗର ଅତିରିକ୍ତ ପ୍ରଫେସର ପ୍ରଭାସ ତ୍ରିପାଠୀଙ୍କ ଉପସ୍ଥିତିରେ ଶବ ହସ୍ତାନ୍ତରଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।