ହାରିଲା ଶ୍ରୀଲଙ୍କା, ପାକିସ୍ତାନ ୬ ଓ୍ବିକେଟରେ ବିଜୟୀ

ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମଠାରେ ମଙ୍ଗଳବାର ଖେଳାଯାଇଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଶ୍ରୀଲଙ୍କାକୁ ୬ ଓ୍ବିକେଟରେ ପରାସ୍ତ କରିଛି ପାକିସ୍ତାନ । ଶ୍ରୀଲଙ୍କା ପକ୍ଷରୁ ୩୪୫ ରନର ଏକ ବଡ଼ ଟାର୍ଗେଟ୍ ରଖାଯିବା ସତ୍ତ୍ବେ ପାକିସ୍ତାନ ତାହାକୁ ହାସଲ କରିନେଇଥିଲା । ଅନ୍ୟପକ୍ଷରେ ଦୂର୍ବଳ ବୋଲିଂ ଓ ଫିଲଡିଂ ପାଇଁ ଶ୍ରୀଲଙ୍କା ଏହି ଟାର୍ଗେଟକୁ ରକ୍ଷା କରିବାରେ ସକ୍ଷମ ହୋଇପାରିନଥିଲା । ପାକିସ୍ତାନ ପକ୍ଷରୁ ଅବଦୁଲ୍ଲା ସଫିକ ଓ ମହମ୍ମଦ ରିଜଓ୍ବାନ ଶତକ ହାସଲ କରି ନିଜ ଦଳ ପାଇଁ ବିଜୟ ଆଣିଦେଇଥିଲେ । ସାଉଦ ସକିଲ ୩୧ ରନ କରି ରିଜଓ୍ବାନଙ୍କୁ ସହାୟତା କରିଥିଲେ । ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଶ୍ରୀଲଙ୍କା ଦଳ ଆରମ୍ଭରୁ କୁଶଲ ପରେରାଙ୍କ ଓ୍ବିକେଟ୍ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ପଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ୍ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ମେଣ୍ଡିସ ମାତ୍ର ୭୭ ବଲରେ ୧୨୨ ରନ କରିଥିଲେ । ନିଶଙ୍କା ୫୧ରନ କରିଥିଲେ । ନିଶଙ୍କା ଆଉଟ୍ ହେବା ପରେ ଆସିଥିବା ସଦିରା ସମରଓ୍ବିକ୍ରମା ମଧ୍ୟ ୮୯ଟି ବଲରେ ୧୦୮ ରନ କରିଥିଲେ । ତେବେ ଦଳର ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଦଳ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୪୪ରନ କରିଥିଲା ।