ଭୟଙ୍କର ହେଉଛି ଇସ୍ରାଏଲ-ହମାସ
ଭୟଙ୍କର ହେବାରେ ଲାଗିଛି ହମାସ-ଇସ୍ରାଏଲ ବିବାଦ । ଦକ୍ଷିଣ ଇସ୍ରାଏଲର ଅନେକ ସ୍ଥାନରେ ଇସ୍ରାଏଲ ସେନା ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଚାଲିଛି। ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ୍ ବାୟୁସେନା ତୁହାକୁ ତୁହା ବୋମାମାଡ଼ ଜାରି ରଖିଛି। ଲେବନାନର ଇସଲାମିକ ସଂଗଠନ ହେଜବୁଲ୍ଲା ରବିବାର ଇସ୍ରାଏଲ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରିଥିବାରୁ ଉତ୍ତର ଇସ୍ରାଏଲରୁ ଲେବାନନକୁ ଭୀଷଣ ମୋର୍ଟାର୍ ମାଡ଼ କରିଛି।ଇସ୍ରାଏଲ ଉପରେ ଅପ୍ରତ୍ୟାଶିତ ଆକ୍ରମଣ ପରେ ଆରମ୍ଭ ହୋଇଥିବା ସଂଘର୍ଷରେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନରେ ଏପର୍ଯ୍ୟନ୍ତ ୧୧୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ହମାସ ଆକ୍ରମଣଜନିତ ମୃତ୍ୟୁସଂଖ୍ୟା ୬୦୦ ଅତିକ୍ରମ କରିଛି। ଏଥିରେ ୬୦ରୁ ଅଧିକ ସରକାରୀ ସୈନ୍ୟ ରହିଛନ୍ତି। ସେହିପରି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ପ୍ରତିଶୋଧମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ଆଇରନ୍ ସୋର୍ଡସ’ରେ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ହମାସ ଆତଙ୍କବାଦୀଙ୍କ ସଂଖ୍ୟା ୪ ଶହରୁ ଅଧିକ ବୋଲି କୁହାଯାଉଛି। ରବିବାର ମଧ୍ୟ ଗାଜା ଉପରେ ଇସ୍ରାଏଲର ବୋମାମାଡ଼ ଜାରି ରହିଛି। । ଉଭୟ ପକ୍ଷର ଆହତଙ୍କ ସଂଖ୍ୟା ୩ ହଜାର ଟପିଛି । ସେପଟେ ଗାଜାକୁ ମାଟିରେ ମିଶାଇବା ଲାଗି ଆକ୍ରମଣକୁ ଘମାଘୋଟ କରାଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ । ଇସ୍ରାଏଲର ଆକ୍ରମଣରେ ଗାଜାରେ ୨୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି । ମହିଳାଙ୍କୁ ହତ୍ୟା କରାଯାଉଛି ।
ଗତକାଲି ଇସ୍ରାଏଲ ଉପରେ ହମାସ ଜଳ, ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରିଥିଲା । ଇସ୍ରାଏଲର ଅଭେଦ ସୁରକ୍ଷା ବଳୟକୁ ପାର କରି ହମାସର ଏହି ଆକ୍ରମଣ ସାରା ବିଶ୍ବକୁ ଚକିତ କରିଛି । ହମାସ ଅନେକ ଇସ୍ରାଏଲ ସୈନିକଙ୍କୁ ବି ଅପହରଣ କରିଛି ।
ସେପଟେ ସୀମା ଡେଇଁ ହମାସ ଇସ୍ରାଏଲ ନିରାପତ୍ତା ବାହିନୀକୁ ଆକ୍ରମଣ କରୁଛି । ଉଗ୍ର ଇସଲାମିକ ସଂଗଠନ ପକ୍ଷରୁ ତେଲ ଆଭିବ, ଜେରୁଜେଲମ ଉପରେ ୫ ହଜାରରୁ ଅଧିକ ରକେଟ ମାଡ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ଏହି ହମଲା ବେଳେ କାମ କରି ନଥିଲା ଇସ୍ରାଏଲର ଡୋମ ଡିଫେନ୍ସ ସିଷ୍ଟମ । ହମାସ ଗାଜାର ସିକ୍ୟୁରିଟି ବ୍ୟାରିୟର ହଟାଇ ସେଠାରେ ବହୁ ଇସ୍ରାଏଲୀ ସହର, ସାମରିକ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ସହ ଲୋକଙ୍କ ଉପରେ ଆଖିବୁଜା ଆକ୍ରମଣ କରିଛନ୍ତି । ଗାଜାର ଅନେକ ସହରରେ ମୃତ ଇସ୍ରାଏଲୀଙ୍କ ଶବ ପଡିଥିବା ସୂଚନା ମିଳିଛି । ହମାସ ନେତା ଓସାମା ହାମଦାନ କହିଛନ୍ତି, ଏହି ଆକ୍ରମଣକୁ ଅଧିକ ଜୋରଦାର କରାଯିବ । ପାଲେଷ୍ଟିନୀୟ ଅଞ୍ଚଳରୁ ଇସ୍ରାଏଲ ବିଦା ହେବା ଯାଏଁ ସଂଘର୍ଷ ଜାରି ରହିବ । ସେପଟେ ହମାସ ବିରୋଧରେ ଗର୍ଜିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ହମାସକୁ ଦମନ ଲାଗି ଇସ୍ରାଏଲକୁ ସାମରିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି ବାଇଡେନ ।