ଅଷ୍ଟ୍ରେଲିଆ ୬ ୱିକେଟ୍‌ରେ ହାରିଲା

ଚେନ୍ନାଇ: ଚେନ୍ନାଇରେ ବିଜୟରୁ ଦୃଢ଼ ଆତ୍ମବିଶ୍ବାସ ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚ୍‌ରେ ରବିବାର ରୋହିତ ବାହିନୀ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଜୋସ୍ ହାଜେଲଉଡ୍ ପ୍ରଥମେ ରୋହିତଙ୍କୁ ଏବଂ ପରେ ଶ୍ରେୟସ୍‌କୁ ଚକ୍‌ମା ଦେବା ପରେ ମାତ୍ର ୨ ରନ୍‌ରେ ୩ ୱିକେଟ୍ ହରାଇ ଭାରତ ଘୋର ସଙ୍କଟରେ ପଡ଼ିଥିଲା। ଈଶାନଙ୍କ ୱିକେଟ୍‌ର ସଅଳ ପତନ ପରେ ହାଜେଲ୍‌ଉଡ୍‌ଙ୍କ ସିଧା ବଲ୍‌ ରୋହିତଙ୍କ ପ୍ୟାଡ୍‌ରେ ବାଜିବା ପରେ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିବା‌ରେ ଡେରି କରି ନଥିଲେ। ରୋହିତ ସଙ୍ଗେସଙ୍ଗେ ରିଭ୍ୟୁ ନେଇଥିଲେ ମଧ୍ୟ ବର୍ତ୍ତି ପାରି ନଥିଲେ। ଦଳ ୨ ରନ୍‌ରେ ୨ ୱିକେଟ୍ ହରାଇଥିଲା ବେଳେ ଆୟର ଆଶ୍ଚର୍ଯ୍ୟଜନକ ଭାବେ ହାଜେଲଉଡ୍‌ଙ୍କ ଅଫ୍‌ଷ୍ଟମ୍ପ୍ ବାହାରେ ଥିବା ଗୁଡ୍ ଲେନ୍ଥ ବଲ୍‌କୁ ଅତି ଖାମଖିଆଲି ଢଙ୍ଗରେ ଖେଳି ଡେଭିଡ୍ ୱାର୍ଣ୍ଣରଙ୍କ ହାତରେ ସର୍ଟ କଭରରେ ଧରାପଡ଼ିଥିଲେ। ଦିନିକିଆ କ୍ରିକେଟ୍ ଇତିହାସରେ ପ୍ରଥମ ଥର ଲାଗି ଭାରତର ଶୀର୍ଷ ୪ ବ୍ୟାଟର୍‌ଙ୍କ ମଧ୍ୟରୁ ୩ ଜଣ ଖାତା ଖୋଲି ପାରି ନଥିଲେ। ଭାରତର ପାୱାର ପ୍ଲେ’ ସ୍କୋର ୨୭/୩, ଦିନିକିଆରେ ତା’ର ଦ୍ବିତୀୟ ସର୍ବନିମ୍ନ ଥିଲା। ଅଷ୍ଟମ ଓଭରରେ ହାଜେଲଉଡ୍‌ଙ୍କ ବଲ୍‌ରେ ଅଷ୍ଟ୍ରେଲିଆକୁ କୋହଲି ଏକ ଭଲ ସୁଯୋଗ ଦେଇଥିଲେ। ହେଲେ ତାଙ୍କ ସହଜ କ୍ୟାଚ୍‌କୁ ମିଚେଲ ମାର୍ସ ହାତଛଡ଼ା କରିଥିଲେ। ସମ୍ଭବତଃ ସେହିଠାରେ ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍ ଖସି ଯାଇଥିଲା।କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଦେଜାଙ୍କ ସ୍ପିନ୍ ଜାଲରେ ଫଶି କଙ୍ଗାରୁ ଦଳ ମାତ୍ର ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଭାରତ ଏହାକୁ ୫୨ ବଲ୍‌ ପୂର୍ବରୁ ୪ ୱିକେଟ୍ ହରାଇ ହାସଲ କରିନେଇଛି। ତେବେ ଭାରତର ପଶ୍ଚାତଧାବନ ବିପର୍ଯ୍ୟୟ ଭରା ଥିଲା। ୨ ରନ୍‌ରେ ଓପନର୍‌ ଈଶାନ କିଶନ, ଅଧିନାୟକ ରୋହିତ ଶର୍ମା ଓ ଶ୍ରେୟସ୍ ଆୟର୍‌ଙ୍କ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ତେବେ ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଯୋଡ଼ି ଚତୁର୍ଥ ୱିକେଟ୍‌ରେ ୧୬୫ ରନ୍ ଯୋଡ଼ି ଭାରତର ବିଜୟକୁ ପକ୍କା କରିଥିଲେ।ଅନ୍ୟପକ୍ଷରେ ରାହୁଲ ୯୭ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଛକା ମାରି ଭାରତ ବିଜୟରେ ମୁଣ୍ଡି ମାରିଥିବା ରାହୁଲ ବିଜୟ ଲକ୍ଷ୍ୟ ହାସଲ ହୋଇଯିବାରୁ ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ।