ବିଶ୍ବକପ କ୍ରିକେଟ୍: ନେଦରଲାଣ୍ଡ୍ସକୁ ୮୧ ରନ୍ରେ ପରାସ୍ତ କଲା ପାକିସ୍ତାନ
ହାଇଦ୍ରାବାଦ୍: ଆଇସିସି କ୍ରିକେଟ୍ ବିଶ୍ବକପ୍-୨୦୨୩ର ଦ୍ବିତୀୟ ମୁକାବିଲାରେ ନେଦରଲାଣ୍ଡ୍ସକୁ ୮୧ ରନ୍ରେ ପରାସ୍ତ କଲା ପାକିସ୍ତାନ । ୨୮୭ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ନେଦରଲାଣ୍ଡ୍ସକୁ ପାକିସ୍ତାନ ଟିମ୍ ୮୧ ରନ୍ରେ ପରାସ୍ତ କରିଛି। ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ନେଦରଲାଣ୍ଡ୍ସ ୪୧ ଓଭରରେ ସମସ୍ତ ୱିକଟେ୍ ହରାଇ ୨୦୫ ରନ୍ରେ ଅଟକି ଯାଇଛି।ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟିଂ ଅତି ନୈରାଶ୍ୟ ଜନକ ଥିଲା। ଦଳୀୟ ସ୍କୋର ୩୮ ରନ୍ରେ ଆଗଧାଡ଼ିର ତିନି ଜଣ ଖେଳାଳି ଆଉଟ୍ ହୋଇ ପାଭଲିଅନକୁ ଫେରି ଆସିଥିଲେ। ପ୍ରାରମ୍ଭିକ ବ୍ୟାଟର ଫକର ଜାମନ ୧୨ ରନ୍ ଓ ଇମାମ ଉଲ୍ ହକ୍ ୧୫ ରନ୍ କରିଥିଲେ। ଅଧିନାୟକ ବାବର ଆଜମ ମଧ୍ୟ ଅଳ୍ପ ସମୟ ପରେ କ୍ରିଜ୍ରୁ ବିଦାୟ ନେଇଥିଲେ। ସେ ୧୮ଟି ବଲ୍ ସାମ୍ନା କରିଥିଲେ ହେଁ ଦଳ ପାଇଁ ମାତ୍ର ୫ ରନ୍ ଯୋଗଦାନ ଦେଇଥିଲେ।
ନେଦରଲାଣ୍ଡ୍ସ ପାଇଁ ବାସ୍ ଡି’ ଲିଡେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୬୮ଟି ବଲ୍ ଖେଳି ୬ଟି ଚୌକା ଓ ୨ଟି ଛକା ବଳରେ ୬୭ ରନ୍ ସଂଗ୍ରହ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ବିକ୍ରମଜିତ ସିଂହ ୬୭ଟି ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ବଳରେ ୫୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଲୋଗାନ ଭାନ ବିକ୍ ୨୮ଟି ବଲ୍ ଖେଳି ୨୮ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଦଳର ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟ ଜନକ ଥିଲା।
ପାକିସ୍ତାନର ଖେଳାଳିମାନେ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲେ। ଟିମ୍ର ସମସ୍ତ ବୋଲର ୱିକେଟ୍ ଅକ୍ତିଆର କରିବାରେ ସଫଳ ହୋଇଥିଲେ। ହାରିସ ରୌଫଙ୍କୁ ସର୍ବାଧିକ ୩ଟି ୱିକେଟ୍ ମିଳିଥିଲା। ହାସନ୍ ଅଲି ୨ଟି ୱିକେଟ ଅକ୍ତିଆର କରିଥିଲେ। ସାହିନ ଶାହ ଆଫ୍ରିଦି, ଇଫିକାର ଅହମଦ, ମହମ୍ମଦ ନୱାଜ ଓ ସଦାବ ଖାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।