ଏସିଆନ ଗେମ୍ସରେ ପଦକ ସଂଖ୍ୟା ୯୫ରେ ପହଞ୍ଚିଲା
ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଦଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା
ହାଙ୍ଗଝୋଉ: ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା । ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ସହ ଦଳର ଅନ୍ୟ ସପୋର୍ଟ ଷ୍ଟାଫଙ୍କ ଲାଗି ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦକ ବିତରଣ ପରେ ମୁଖ୍ୟମନ୍ତ୍ରୀ ଟିମ ଇଣ୍ଡିଆ ସଦସ୍ୟଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ । ଏହି ଅବସରରେ ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ଉତ୍ସାହିତ କରିଥିଲେ ।ଏସିଆନ ଗେମ୍ସରେ ଚମକୁଛି ଭାରତ। ପ୍ରଥମ ଥର ପାଇଁ ଭାରତକୁ ରେକର୍ଡ ମେଡାଲ। ପଦକ ସଂଖ୍ୟା ଏବେ ସୁଦ୍ଧା ୯୫ ହୋଇଥିବା ବେଳେ ୧୦୦ ଟପିବା ସୁନିଶ୍ଚିତ ହୋଇଛି। ଆସନ୍ତା କିଛି ଖେଳ ମେଡାଲ ପାଇଁ ଟକ୍କର ଦେବ ଭାରତ। ପୁରୁଷ କ୍ରିକେଟ, କବାଡି, ବ୍ୟାଡମିଣ୍ଟନରେ ମେଡାଲ ପାଇଁ ଟକ୍କର ଦେବ ଭାରତ। ଏଥିସହ ପ୍ରଥମ ଥର ପାଇଁ ଭାରତ ଏସିଆନ୍ ଗେମ୍ସରେ ୨୦ରୁ ଅଧିକ ସ୍ବର୍ଣ୍ଣ ପଦକ ଜିତିଛି।
ଭାରତ ପ୍ରଥମ ଥର ମେଡାଲରେ ସେଞ୍ଚୁରୀ ମାରିବାକୁ ଯାଉଛି। ଏସୀୟ କ୍ରୀଡ଼ାରେ କୁସ୍ତିର ମହିଳା ୬୨ କେଜି ଫ୍ରିଷ୍ଟାଇଲ ବର୍ଗରେ ସେମି ଫାଇନାଲରେ ହାରି ଯାଇଥିବା ସୋନମ ମଲ୍ଲିକ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମି ଫାଇନାଲରେ ହାରିବା ପରେ ସେ ବ୍ରୋଞ୍ଜ ପଦକ ପାଇଁ ଚୀନର ଜିଆ ଲଙ୍ଗଙ୍କ ସହିତ ଲଢ଼ିଥିଲେ । ସେ ୬-୪ରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ଜିତିଛନ୍ତି।
ସେହିଭଳି ତୀରନ୍ଦାଜୀରେ ଭାରତକୁ ମିଳିଛି ଆଉ ଏକ ପଦକ। ପୁରୁଷ ରିକର୍ଭ ଟିମ୍ ଇଭେଣ୍ଟରେ ଭାରତକୁ ମିଳିଛି ଏହି ପଦକ। ଏହି ଇଭେଣ୍ଟର ଫାଇନାଲରେ ଅତନୁ, ଧୀରଜ ଓ ତୁଷାରଙ୍କୁ ନେଇ ଗଠିତ ଟିମ୍ ଶକ୍ତିଶାଳୀ ଦକ୍ଷିଣ କୋରିଆ ଠାରୁ ୧-୫ରେ ହାରିଯାଇଥିଲା। ଫଳରେ ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଟକରାରେ ଭାରତୀୟ ମହିଳା ଟିମକୁ ଐତିହାସିକ ବ୍ରୋଞ୍ଜ ପଦକ ମିଳିଛି। ସେମି ଫାଇନାଲରେ ଦଳ ଥାଇଲ୍ୟାଣ୍ଡଠାରୁ ପରାସ୍ତ ହୋଇଯିବାରୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। କ୍ରିକେଟରେ ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ ହେବ। 0