ମହିଳା ସଂରକ୍ଷଣ ବିଲ୍ ସମର୍ଥନରେ ବିଜେଡିର ପକ୍ଷ ରଖିଲେ ସାଂସଦ ମାନସ ମଙ୍ଗରାଜ
ନୂଆଦିଲ୍ଲୀ: ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ନେଇ ଆଲୋଚନାରେ ଭାଗ ନେଇ ବିଜେଡିର ସାଂସଦ ମାନସ ମଙ୍ଗରାଜ ସମର୍ଥନ ଦେବା କଥା କହିଛନ୍ତି । ଓଡ଼ିଆକୁ ସମ୍ମାନ ଦେଇ ସେ ନିଜର ବିବୃତ୍ତି ଓଡ଼ିଆରେ ଦେଇଥିଲେ । ତାଙ୍କ ଭାଷଣରେ ସେ କହିଛନ୍ତି ଯେ, ବିଜେଡି ସବୁବେଳେ ସାଧାରଣ ଜନଜୀବନ ତଥା ସମାଜର ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରିଆସୁଛି । ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ।
୨୦୧୧ରେ ତାଙ୍କ ସୁପୁତ୍ର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀ ପୌରପାଳିକା ଏବଂ ମହାନଗର ନିଗମରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହା ପୁନର୍ବାର ମହିଳା ସଶକ୍ତିକରଣ ଏବଂ ବିଶେଷକରି ସାଧାରଣ ଜୀବନରେ ସେମାନଙ୍କ ଅଂଶଗ୍ରହଣ ପାଇଁ ବିଜେଡିର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଶ୍ୱାସ କରନ୍ତି ଯେ ମହିଳା ସଶକ୍ତିକରଣ ବିନା କୌଣସି ସମାଜ, ରାଜ୍ୟ କିମ୍ବା ରାଷ୍ଟ୍ରର ବିକାଶ ହୋଇପାରିବ ନାହିଁ ।