ବିଜେଡି ଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଏଥିସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ମଧ୍ୟ ବହିଷ୍କାର ହୋଇଛନ୍ତି। ଦଳରୁ ବହିଷ୍କାର ନେଇ ନିଜେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସୌମ୍ୟ ବାବୁ ନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଥିଲେ। ସୌମ୍ୟବାବୁ ପାର୍ଟି ଓ ସରକାରକୁ ବ୍ଲାକମେଲ୍ କରୁଛନ୍ତି ବୋଲି ବିଜେଡିର ବିଧାୟକ, ମନ୍ତ୍ରୀମାନେ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କୁ ବିଜେଡି ଉପସଭାପତି ପଦରୁ ବିଦା କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଜନବିରୋଧୀ କାର୍ଯ୍ୟକୁ କେବେବି ପ୍ରଶୟ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନବିରୋଧୀ ନେତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ । ପୂର୍ବରୁ ମଧ୍ୟ ନିଜ ଦଳର ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର କାର୍ଯ୍ୟାନୁଷ୍ଠାନ ଏହାକୁ ପୁଣିଥରେ ପ୍ରମାଣିତ କରିଛି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ।
ସୈାମ୍ୟ ପଟ୍ଟନାୟକଙ୍କ ବିରୋଧରେ ଆହୁରି ଅଭିଯୋଗ ହେଉଥିବାରୁ, ଏହା ଏକ ଗୁରୁତର ବ୍ୟାଙ୍କ ଘୋଟାଲା ବୋଲି ବିଜେଡି କହିଛି । ଏଥିରେ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କା ଲୋନ୍ ଉଠାଯାଇଛି । ୩ଶହରୁ ଅଧିକ କର୍ମଚାରୀ ଏହାର ଶିକାର ହୋଇଛନ୍ତି । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ବି) ଧାରାରେ ମାମଲାରୁ ରୁଜୁ ହୋଇଛି। ଏଭଳି ଜନବିରୋଧୀ କାର୍ଯ୍ୟକଳାପ ପାଇଁ ସୌମ୍ୟଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମଧ୍ୟ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହୋଇଥିବା ବିଜେଡି କହିଛି। ବାଲେଶ୍ବର ନିଗମାନନ୍ଦ ଆସୋସିଏଟରେ ପାର୍ଟନର ଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେ ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୩କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ କରୁଛି ଭିଜିଲାନ୍ସ ।