ରାଜରାସ୍ତାରେ ଶିକ୍ଷକ, ବିଦ୍ୟାଳୟରେ ପଡିଛି ତାଲା
ଭୁବନେଶ୍ବର: ସ୍କୁଲ ବନ୍ଦ କରି ଶିକ୍ଷକମାନେ ଧାରଣାରେ ବସିଥିବା ବେଳେ ଶିକ୍ଷକ ଆସୁନଥିବାରୁ ଛାତ୍ରଛାତ୍ରୀ ସ୍କୁଲ ଯାଉନାହାନ୍ତି । ସେପ୍ଟେମ୍ବର ମାସ ୮ ତାରିଖରୁ ଧାରଣାରେ ବସିଛନ୍ତି ଶିକ୍ଷକ । ପ୍ରଥମେ ବିଦ୍ୟାଳୟକୁ ଆଂଶିକ ବନ୍ଦ କରି ଧାରଣାରେ ବସିଥିଲେ, ମାତ୍ର ୧୩ ତାରିଖରୁ ସ୍କୁଲରେ ତାଲା ପକାଇ ସମୁହ ଛୁଟିରେ ଯାଇ ଧାରଣାରେ ବସିଛନ୍ତି । ସାରାରାଜ୍ୟରେ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀ ଆନ୍ଦୋଳନ କରୁଛନ୍ତି । ଚୁକ୍ତି ଭିତିକ ନିଯୁକ୍ତି ବନ୍ଦ କରିବା ସହ କେନ୍ଦ୍ରୀୟ ହାରରେ ବେତନ ଦେବାକୁ ଦାବି କରି ସପ୍ତାହେ ହେଲା ଧାରଣା ଦେଇଛନ୍ତି । କିନ୍ତୁ ଏହାରି ଭିତରେ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ତାରିଖରୁ ଆବେଦନ ବି ଆରମ୍ଭ ହୋଇଛି । କିନ୍ତୁ ରାଜ୍ୟର ନିଯୁକ୍ତି ଦିଆଯିବାକୁ ଥିବା କନିଷ୍ଠ ଶିକ୍ଷକଙ୍କୁ କେମିତି କମ୍ ଦରମା ଦେବା ପାଇଁ ବ୍ୟବସ୍ଥା ହୋଇଛି ତାହାକୁ ନେଇ ଶିକ୍ଷକମାନେ ବିରୋଧ ବି କରୁଛନ୍ତି ।