ଧରାପଡିଲା ଚୀନର ଚାଲାଖି , ଗଲୱାନ ସଂର୍ଘଷରେ ପ୍ରାଣ ହରାଇଛନ୍ତି ୩୮ କିନ୍ତୁ ଦର୍ଶାଇଛି ମାତ୍ର ୪

ଧରାପଡିଲା ଚୀନର ଚାଲାଖି , ଗଲୱାନ ସଂର୍ଘଷରେ ପ୍ରାଣ ହରାଇଛନ୍ତି ୩୮ କିନ୍ତୁ ଦର୍ଶାଇଛି ମାତ୍ର ୪

ମେଟ୍ରୋ ଟିଭି ଓଡିଶା,୩/୨ : ୨୦୨୦ ଜୁନ୍ ରେ, ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୩୮ ଜଣ ଚୀନ୍ ସୈନିକ ନିହତ ହୋଇଥିଲେ । ଅଷ୍ଟ୍ରେଲୀୟ ଖବରକାଗଜ ‘ଦ କ୍ଲାକ୍ସନ୍’ରେ ପ୍ରକାଶିତ ଅନୁସନ୍ଧାନ ରିପୋର୍ଟରୁ ଏହା ଜଣା ପଡିଛି । ଏହି ସଂଖ୍ୟା ଚୀନ୍ ଦ୍ୱାରା ଦର୍ଶାଯାଇଥିବା ସଂଖ୍ୟାଠାରୁ ୯ଗୁଣ ଅଧିକ । ଅନ୍ତର୍ଜାତୀୟ ଗଣମାଧ୍ୟମରେ ନିହତ ହୋଇଥିବା ସୈନିକଙ୍କ ସଂଖ୍ୟାକୁ ଚୀନ୍ ମାତ୍ର ୪ ଜଣ ବୋଲି ଦର୍ଶାଇଥିଲା । ଦେଢ ବର୍ଷର ଅନୁସନ୍ଧାନ ପରେ ଅଷ୍ଟ୍ରେଲୀୟ ଖବରକାଗଜ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଏହି ଘଟଣାର ଅନୁସନ୍ଧାନ ପାଇଁ ସ୍ୱାଧୀନ ସୋସିଆଲ ମିଡିଆ ଅନୁସନ୍ଧାନକାରୀଙ୍କ ଏକ ଦଳ ଗଠନ କରାଯାଇଥିଲା । ଯାହା ‘ଗାଲଓ୍ୱାନ୍ ଡିକୋଡେଡ୍’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଥିଲା ।
ଆନ୍ଥୋନି କ୍ଲାନଙ୍କ ନେତୃତ୍ୱାଧୀନ ସ୍ୱତନ୍ତ୍ର ରିପୋର୍ଟରେ ଦର୍ଶାଯାଇଛି ଯେ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି ର ଅନେକ ସୈନିକ ସେହି ରାତିରେ ଗଲଓ୍ୱାନ୍ ନଦୀରେ ବରଫରେ ଭାସିଯାଇଥିଲେ । ଏହି ଅନୁସନ୍ଧାନ ରିପୋର୍ଟ ଏବେ ଡ୍ରାଗନର ସମସ୍ତ ଚାଲାଖିକୁ ଧରା ପକାଇଦେଇଛି ।

ସୂଚନା ଅନୁଯାୟୀ, ଏହି ସଂଘର୍ଷର ତଥ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଚୀନ୍ ଦୁଇଟି ଭିନ୍ନ ଘଟଣାକୁ ମିଶ୍ରିତ କରିଥିଲା । ଗଲୱାନରେ ନିହତ ହୋଇଥିବା ସୈନିକଙ୍କ ସଂଖ୍ୟା ଚୀନ୍ କେବେବି ଦେଇ ନାହିଁ, କିନ୍ତୁ ଗତ ବର୍ଷ ଏହି ସଂଘର୍ଷରେ ନିହତ ହୋଇଥିବା ଚାରିଜଣ ସୈନିକଙ୍କ ପାଇଁ ପଦକ ଘୋଷଣା କରିଥିଲା । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଜୁନ୍ ୧୫-୧୬ ରାତିରେ ଅନେକ PLA ସୈନିକ ଶୂନ ଡିଗ୍ରୀ ତାପମାତ୍ରାରେ ପ୍ରବାହିତ ବରଫ ନଦୀରେ ବୁଡ଼ି ଯାଇଥିଲେ ।
ଚାଇନାର ସୋସିଆଲ ମିଡିଆ ପ୍ଲାଟଫର୍ମ ଓ୍ୱିବୋ ଅନେକ ଉପଭୋକ୍ତାଙ୍କ ବ୍ଲଗ୍ ଉପରେ ଆଧାର କରି ମିଡିଆ ରିପୋର୍ଟରେ କୁହାଯାଇଛି ଯେ ସେହି ରାତିରେ ୩୮ ଜଣ ଚୀନ୍ ସୈନିକ ନଦୀରେ ଭାସିଯାଇଥିଲେ । ପରେ ଚୀନ୍ କର୍ତ୍ତୃପକ୍ଷ ଏହି ସମସ୍ତ ସୋସିଆଲ୍ ମିଡିଆ ପୋଷ୍ଟକୁ ହଟାଇ ଦେଇଥିଲେ । ଏହି ୩୮ ଜଣଙ୍କ ମଧ୍ୟରେ ଜୁନିଅର ସର୍ଜେଣ୍ଟ ୱାଙ୍ଗ ଜୁରାନ୍ ମଧ୍ୟ ସାମିଲ ହୋଇଥିଲେ, ଯାହାଙ୍କୁ ଚୀନ୍ ଏକ ପଦକ ଦେବାକୁ ଘୋଷଣା କରିଛି ।