ଜି-୨୦ ବୈଠକରେ ଯୋଗଦେବେନି ଜିନପିଙ୍ଗ

ଭାରତ ଚାଇନା ଭିତରେ ଚାଲିଥିବା ସୀମା ବିବାଦ ଭିତରେ ଚୀନ ରାଷ୍ଟ୍ରପତି ଭାରତ ଆସିବେ ନାହିଁ ।   ଆସନ୍ତା ୯ ଓ ୧୦ରେ ଜି ୨୦ ଶୀର୍ଷ ସମ୍ମିଳନୀ ନୂଆଦିଲ୍ଲୀରେ ହେବାକୁ ଯାଉଛି । ସେପଟେ ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ନଦେବାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ଏପରିକି  ପ୍ରଶ୍ନ ଉଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ କହିଛନ୍ତି- ଜିନପିଙ୍ଗ ବୈଠକରେ ଯୋଗ ଦେଉ ନଥିବା ଶୁଣି ସେ ନିରାଶ ହୋଇଛନ୍ତି । ଯଦି ଜିନପିଙ୍ଗ ଭାରତ ଗସ୍ତରେ ଆସିଥାନ୍ତେ ତେବେ ଦୁଇ ନେତାଙ୍କ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା ।

ତେବେ ଆସନ୍ତା ନଭେମ୍ବରରେ ସାନଫ୍ରାନସିସ୍କୋରେ ଆପେକ ସମ୍ମିଳନୀ ହେବାକୁ ଯାଉଥିବାରୁ ସେଠାରେ ଦୁଇ ନେତାଙ୍କ ମଧ୍ୟରେ ଭେଟଘାଟ ହେବା ଆଶା କରାଯାଉଛି । ତେଣେ ସୀମା ପ୍ରସଙ୍ଗରେ ଭାରତ ଓ ଚୀନ ମଧ୍ୟରେ କ୍ରମାଗତ ସମ୍ପର୍କ ତିକ୍ତ ହେଉଥିବା କାରଣକୁ ନେଇ ଜିନପିଙ୍ଗଙ୍କ ଭାରତ ଗସ୍ତ ବାତିଲ ହୋଇଛି ବୋଲି କୁହାଯାଇଛି । ଜିନପିଙ୍ଗଙ୍କ ବଦଳରେ ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି କୁହାଯାଇଛି ।