ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକରେ ବିଶିଷ୍ଠ ବ୍ୟକ୍ତିଙ୍କ ଶୋକପ୍ରକାଶ

ଭୁବନେଶ୍ୱର : ପୂର୍ବତନ  ବାଚସ୍ପତି ତଥା ବର୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ରାଷ୍ଟ୍ରପତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶାର ସେବା ପାଇଁ ତାଙ୍କର ଦାନ ଅତୁଳନୀୟ ବୋଲି କହିଛନ୍ତି ରାଷ୍ଟ୍ରପତି ।

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା, ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଗଞ୍ଜାମବାସୀଙ୍କ ସେବାରେ ତାଙ୍କର ଉତ୍ସର୍ଗୀକୃତ ଜୀବନ ସର୍ବଦା ସ୍ମରଣୀୟ ରହିବ। ବିଜୁ ଜନତା ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବହୁମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଏହା ଓଡ଼ିଶାର ରାଜନୀତି ତଥା ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

 

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭିର ଶୋକପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଲୋକ ପ୍ରତିନିଧି ଭାବେ ଲୋକସେବା ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ରାଜ୍ୟପାଳ କହିଛନ୍ତି ।

ସେହିପରି ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ସେ କହିଛନ୍ତି ଯେ ସୂର୍ଯ୍ୟ ପାତ୍ରଙ୍କ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ l ସ୍ୱର୍ଗତ ପାତ୍ର ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ଭାବରେ ତାଙ୍କର ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ l ତାଙ୍କ ବିୟୋଗରେ ରାଜ୍ୟ ଜଣେ ପୁରୁଖା ନେତାଙ୍କୁ ହରାଇଲା ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି l

ଅନ୍ୟପଟେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ।  ସେ କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଦେହାନ୍ତ କେବଳ ବିଜୁ ଜନତା ଦଳ ପାଇଁ ନୁହେଁ ସମଗ୍ର ଓଡ଼ିଶା ରାଜନୀତି ପାଇଁ ଅପୁରଣୀୟ କ୍ଷତି ।

ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସେହାନ୍ତ ଖବର ଶୁଣି ଗଭିର ଶୋକପ୍ରକାଶ କରିଛନ୍ତି ।  ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ସୂର୍ଯ୍ୟ ପାତ୍ରଙ୍କ ପରଲୋକ ଖବର ପାଇ ଶୋକପ୍ରକାଶ କରିଛନ୍ତି । ସେ କହିଛନ୍ତି ରାଜନୀତିରୁ ଉର୍ଦ୍ଧରେ ଥିଲେ ସୂର୍ଯ୍ୟ ପାତ୍ର ଓଡ଼ିଶା ରାଜନୀତିର ଅପୁରଣୀୟ କ୍ଷତି ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଢିର ଶୋକପ୍ରକାଶ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଆମ ଦଳର ଜଣେ ଉତ୍ସର୍ଗୀକୃତ ନେତା, ଗଞ୍ଜାମର ଟାଣୁଆସଂଗଠକ ଥିଲେ ଶ୍ରୀ ପାତ୍ର । ତୃଣମୂଳ ସ୍ତରରୁ ଆସି ଓଡ଼ିଶାର ବାଚସ୍ପତି ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ପ୍ରେରଣାର ଉତ୍ସହେବ ।

 

ବରିଷ୍ଠ ନେତା ଦାମୋଦର ରାଉତ ସୂର୍ଯ୍ୟପାତ୍ରଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ମର୍ମାହତ ଓ ଦୁଖିତ କହିଛନ୍ତି । ସେ କହିଛନ୍ତି ସୂର୍ଯ୍ୟ ମୋ ଠାରୁ ୮ବର୍ଷ ସାନ କିନ୍ତୁ ମୋର ସେ ଜଣେ ଭଲ ବନ୍ଧୁ ଥିଲେ ।

 

ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ

ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ହେବ  । ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ଆସନ୍ତା ୧୩ରେ ପ୍ରକାଶ ପାଇବ ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି । ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି ହେବ। ସେପଟେ  ବିହାର ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଏହି ନିର୍ବାଚନ ନଭେମ୍ବର ୬ରେ ଅନୁଷ୍ଠିତ ହେବ। ତେବେ ଉକ୍ତ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନଭେମ୍ବର ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ୧୪ରେ ଭୋଟ୍‌ ଗଣତି ହେବ ବୋଲି ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ଉକ୍ତ ନିର୍ବାଚନରେ ମୋଟ୍‌ ୭ କୋଟି ୪୨ ଲକ୍ଷ ଭୋଟର ମତଦାନ କରିବାକୁ ଥିବାବେଳେ ୯୦୭୧୨ ପୋଲିଂ ବୁଥ୍‌ ରହିଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନର।

ପୋଲିସ ଏସ୍‌ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍‌ଆଇଏ ତଦନ୍ତ ହେବ

ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଗତ ୧୧ ବର୍ଷ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦେଢ଼ବର୍ଷ ହେବ ବିଜେପି ସରକାର ଚାଲିଛି। ମାତ୍ର ଏହି ସରକାରରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ଦୁର୍ନୀତିର ଛାପ ପଡ଼ିନାହିଁ। ଯେଉଁଠି ବି ଦୁର୍ନୀତି ହୋଇଛି, ସେଠାରେ ବିହୀତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତଦନ୍ତ ପରେ ସେମାନଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଛି। ଏବେ ପୋଲିସ ଏସ୍‌ଆଇ ଦୁର୍ନୀତି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସମସ୍ତ ପରୀକ୍ଷାର୍ଥୀଙ୍କ ସମେତ ଦଲାଲ୍‌ମାନଙ୍କୁ ଗିରଫ କରାଯାଇଛି। ଯେଉଁମାନେ ଏହି ରାକେଟ୍‌ରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଛି। ବିଜେଡି ସରକାରରେ ଅତୀତରେ ଦୁର୍ନୀତି ଉପରେ ଘଂଟ ଘୋଡ଼ାଯାଉଥିଲା ଏବେ ବିଜେପି ସରକାର ଆକ୍ସନ ନେଉଛି। ତେଣୁ ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍‌ଆଇଏ ତଦନ୍ତ ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି, ବିଗତ ସରକାରରେ ଦୁର୍ନୀତି ଚରମସୀମା ଛୁଇଁ ଥିଲା। ୨୦୨୩ରେ ସିଭିଲ ଜେଇ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ସେତେବେଳେ ବାଲେଶ୍ୱର ପୋଲସି ଗୋଟିଏ ରାକେଟକୁ ଧରିଥିଲା। ସେତେବେଳେ ବିଜେଡି ସରକାରରେ ଥିଲା। ଏହି ମାମଲାରେ ସେତେବେଳେ ୮୬ ଜଣ ପରୀକ୍ଷାର୍ଥୀଙ୍କୁ ପୋଲିସ ଅଟକ ରଖିଥିଲା। ସମ୍ପୃକ୍ତ ଅଭିଯୁକ୍ତମାନେ ଏହି ଚାକିରି ପାଇଁ ଟଙ୍କା ଦେଇଥିବା ଜଣାପଡ଼ିଥିଲା। ମାତ୍ର ସେମାନଙ୍କ ବିରୋଧରେ ବିଜେଡି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଏପରିକି ଏଫ୍‌ଆଇଆର୍ ମଧ୍ୟ ହୋଇ ନ ଥିଲା। କାରଣ ଏଥିରେ ବିଜୁ ଜନତା ଦଳର ନେତାମାନଙ୍କ ସିଧାସଳଖ ସମ୍ପୃକ୍ତି ଥିଲା। ଯୁବତୀ ଯୁବକମାନଙ୍କଠାରୁ ଟଙ୍କା ନେଇ ଚାକିରି ଦେବା ପାଇଁ ସେମାନେ ଏକ ଢାଂଚାଗତ ଯୋଜନା କରିଥିଲେ। ଏହା ପୂର୍ବରୁ୨୦୧୯ରେ ପୋଲିସ ଏସ୍‌ଆଇ ପରୀକ୍ଷା ହୋଇଥିଲା। ୨୦୨୩ରେ ଏହି ପ୍ରକ୍ରିୟା ଶେଷହୋଇଥିଲା। ସେତେବେଳେ ସାଧାରଣ ବର୍ଗ ପାଇଁ କଟ୍‌ଅଫ ମାର୍କ ୯୫ ପ୍ରତିଶତ ରଖାଯାଇଥିଲା। କୌଣସି ପ୍ରବେଶିକା ପରୀକ୍ଷା ଅବା କମ୍ପିଟେଟିଭ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ୯୫ ପ୍ରତିଶତ ରହିବା ଗ୍ରହଣ ଯୋଗ୍ୟ, ମାତ୍ର କଟ୍‌ଅଫ୍ ମାର୍କ ୯୫ ପ୍ରତିଶତ ପର୍ଯ୍ୟନ୍ତ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନେକ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପରେ ଚାକିରି ପାଇବାକୁ ଅଶା ରଖିଥଲେ। ମାତ୍ର କଟ୍‌ଅଫ୍ ମାର୍କ ଅଧିକ ରହିବା ଯୋଗୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ସେହିପରି ଅନୂସୂଚିତ ଜାତି ପାଇଁ ସେତେବେଳେ ୯୨ ପ୍ରତିଶତ କଟ୍‌ଅଫ୍ ମାର୍କ ଥିଲା। ଫଳରେ ବହୁ ଆଶାୟୀ ଚାକିରି ପାଇବାରୁ ବଂଚିତ ହୋଇଥିଲେ। ଟଙ୍କା ନେଇ ଚାକିରି ଦେବା ଦୁର୍ନୀତି ବିଜେଡିର ଏକ ପ୍ରକ୍ରିୟା ପାଲଟିଯାଇଥିଲା। ମାତ୍ର ବିଜେପି ସରକାର ପୁରୁଣା ଢାଂଚାରେ ଚାଲୁଥିବା ଚାକିରି ବିକ୍ରି ସିଣ୍ଡିକେଟକୁ ଧରିଛନ୍ତି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୩ଜଣ ଗୋଟିଏ କୋଚିଂ ସେଂଟରର ନାମ କହିଛନ୍ତି। ତାହା ହେଲା ବଣିକ। ଦେଶର ଯେତେସବୁ ଭଲ କୋଚିଂ ସେଂଟର ରହିଛି ସଭିଏଁ ପିଲାଙ୍କୁ ପାଠ ପଢ଼ିବା ପାଇଁ ଭଲଭଲ ସ୍ଲୋଗାନ ଦେଉଥିବାବେଳେ ବଣିକର ସ୍ଲୋଗାନ ଥିଲା ସରକାରୀ ଚାକିରି ଥୁଆ ହୋଇଛି, ଅର୍ଥାତ୍ ସରକାରୀ ଚାକିରି କରିବାକୁ ଚାହିଁଲେ କେବଳ ବଣିକରେ ନାମ ଲେଖାନ୍ତୁ। ଏଥିରୁ ସ୍ପଷ୍ଟ ଯେ, ଏହି କେଳେଙ୍କାରୀରେ ବଣିକ ଅନୁଷ୍ଠାନର ମାଲିକ ତଥା ବିଜେଡିର ଟାଣୁଆ ନେତା ସୁବ୍ରତ ଛାଟୋଇଙ୍କ ସମ୍ପୃକ୍ତି ରହିଛି। ବିଜେଡି ସରକାର ଅମଳରୁ ଏହା ଚାଲିଆସୁଛି। ଏଣୁ ପିଲାମାନଙ୍କୁ ଏହି ସଂସ୍ଥା ଓ ଏହାର ମାଲିକ ନିର୍ଭର ପ୍ରତିଶ୍ରୁତି ଦେଇଚାଲିଥିଲେ। ପୁର୍ବରୁ ଏଏସ୍‌ଓ ଚାକିରି ବିକ୍ରି ରାକେଟ୍‌ରେ ମଧ୍ୟ ଏହି ସଂସ୍ଥା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ମାତ୍ର ତତ୍କାଳୀନ ବିଜେଡି ସରକାର ତାଙ୍କ ଦଳ ନେତାଙ୍କୁ ଘଂଟ ଘୋଡାଇ ଚାଲିଥିଲା। କାର୍ଯ୍ୟାନୁଷ୍ଠାନ ତ ଦୂର କଥା, ତଦନ୍ତ ମଧ୍ୟ କଲେନାହିଁ। ଏବେ ପୋଲିସ ଏସ୍‌ଆଇ ନିଯୁକ୍ତି ଘଟଣାରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନ୍‌ଏସି ଅନ୍ତର୍ଗତ ୪ ନମ୍ବର କାଉନସିଲର ତଥା ବିଜେଡି ନେତା ଯତୀନ କୁମାର ଦଳାଇ (୨୬)ଙ୍କୁ ଗିରଫ କରାଯାଇଛି। ସେହିପରି ବଲାଙ୍ଗୀର ଜିଲ୍ଲା ମୁରିବାହଲ ଥାନା ଅନ୍ତର୍ଗତ ପତ୍ରାପାଲିର ମୁନକି ରାଜପଲିଆ ଓ ତାଙ୍କ ସ୍ୱାମୀ ପ୍ରହଲ୍ଲାଦ ନାଗ ମଧ୍ୟ ଗିରଫ ହୋଇଛନ୍ତି। ମୁନକି ହେଉଛନ୍ତି ବିଜେଡି ସମର୍ôଥତ ସମିତିସଭ୍ୟ ଏବଂ ଉକ୍ତ ଦଳର ଜଣେ ନାରୀ ନେତ୍ରୀ। କେବଳ ଏମାନେ ନୁହନ୍ତି ଧରାପଡ଼ିଥିବା ଅଧିକାଂଶ ଅଭିଯୁକ୍ତ ହେଲେ ବିଜେଡିର କାର୍ଯ୍ୟକର୍ତା। ମାତ୍ର “ଚୋର ମଚାଏ ସୋର” ଭଳି ବିଜେଡି ନେତାମାନେ ଏବେ ପ୍ରଳାପ କରିବାରେ ଲାଗିଛନ୍ତି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ବିଜେଡି ଏବେ ପ୍ରକୃତ ଘଟଣାର ଦିଶା ବଦଳାଇବା ପାଇଁ, ନିଜକୁ ସୁରକ୍ଷା ଦେବା ପାଇଁ, ସେମାନଙ୍କ ଉପରକୁ ଉଠୁଥିବା ଆଙ୍ଗୁଳିକୁ ପ୍ରତିରୋଧ କରିବା ପାଇଁ, ଓଡ଼ିଶାର ଜନସାଧାରଣ, ଯୁବକମାନଙ୍କ ଧ୍ୟାନ ହଟାଇବା ପାଇଁ ଅପଚେଷ୍ଠା ଏହି ଚଲାଇଛି। ମାତ୍ର ଏଥିରେ ବିଜେଡି କେବେବି ସଫଳ ହେବ ନାହିଁ। ମୋହନ ଚରଣ ମାଝୀଙ୍କ ସରକାର ସାରା ଓଡ଼ିଶାକୁ ଦୁର୍ନୀତିମୁକ୍ତ ସରକାର ଦେବାକୁ ପ୍ରତିଶ୍ରୁତିବଦ୍ଧ। କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ଶ୍ରୀ ମାଝୀ ପୂର୍ବରୁ କହିଥିବାବେଳେ ଏନେଇ ଜୋରଦାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପୂର୍ବରୁ ଓଟିଇଟି ପରୀକ୍ଷା ଦୁର୍ନୀତି ଘଟଣାରେ ବଡ଼ବଡ଼ ଅଧିକାରୀଙ୍କୁ ଜେଲ ପଠାଇ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

 

 

କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ

ସରକାରୀ କାର୍ଯ୍ୟାଳୟ, ଅତ୍ୟାବଶ୍ୟକ ଜରୁରୀସେବା ଚାଲୁ ରହିବ

କଟକ ସହରରେ ଅଶାନ୍ତି ସୃଷ୍ଟି କରିଥିବା ଘଟଣାରେ ୮ ଜଣଙ୍କୁ ସୋମବାର ଗିରଫ କରିଛି ପୋଲିସ। ଏନେଇ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଭସାଣି ସମୟରେ ଅଶାନ୍ତି ସୃଷ୍ଟି କରି ଭଙ୍ଗାରୁଜା ଏବଂ ପୋଲିସକୁ ଆକ୍ରମଣ କରିବା ଘଟଣାରେ ଏମାନେ ଗିରଫ ହୋଇଛନ୍ତି।

କଟକ ହିଂସାକୁ ନେଇ ଆଡଭାଇଜରୀ ଜାରି କରିଛି ପୋଲିସ। ସୋସିଆଲ ମିଡିଆରେ କୈଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରିବା ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି।

ଦଶହରା ଭସାଣି ସମୟରେ ଶୁକ୍ରବାର ରାତିରେ ଘଟିଥିବା ଗଣ୍ଡଗୋଳରୁ କଟକ ସହର ଅଶାନ୍ତ ହୋଇପଡ଼ିଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନଁା ଧରୁନାହିଁ। ଏପଟେ କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ ହୋଇଛି। ଆଇନ ଶୃଙ୍ଖଳା ADG ସଂଜୟ କୁମାରଙ୍କ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କଟକ ସହରରେ ଶାନ୍ତି ବଜାୟ ରଖିବାକୁ ପୋଲିସର ଅପିଲ କରାଯାଇଛି। ସଚେତନ ହୋଇ ଘର ଭିତରେ ରହିବାକୁ ବିଶେଷ ପରାମର୍ଶ ଦିଆଯାଇଛି।

ସରକାରୀ କାର୍ଯ୍ୟାଳୟ, ଅତ୍ୟାବଶ୍ୟକ ଜରୁରୀସେବା ଚାଲୁ ରହିବ। ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନାହିଁ। ଉପଦ୍ରବ କରିବାମାତ୍ରେ ବଳପ୍ରୟୋଗ କରାଯିବ। ଆବଶ୍ୟକସ୍ଥଳେ କର୍ଫ୍ୟୁ ସମୟକୁ ବୃଦ୍ଧି କରାଯାଇପାରେ ବୋଲି କମିଶନର ଏସ୍‌.ଦେବଦତ୍ତ ସିଂ କହିଛନ୍ତି। ଗଣ୍ଡଗୋଳ ଅଞ୍ଚଳ ଦରଘାବଜାର ସମେତ ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ ହେବା ସହ ପୋଲିସର ଫ୍ଲାଗମାର୍ଚ୍ଚ ଜାରି ରହିଛି। ସୋସିଆଲ ମିଡିଆରେ ଯେପରି କୌଣସି ଉତ୍ତେଜନାମୂଳକ ବାର୍ତ୍ତା ପ୍ରସାରିତ ନ ହୁଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି।

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ

ନୂଆପଡ଼ାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଭୁବନେଶ୍ୱର ବିମାନବନ୍ଦରରୁ  ନୂଆପଡ଼ା ଏୟାରଷ୍ଟ୍ରିପ୍‌ରେ ପହଁଚିଥିଲେ। ସେ ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ  ବିକାଶମୂଳକ ଯୋଜନାର ଶୁଭ ଉଦଘାଟନ  ତଥା ଶିଳାନ୍ୟାସ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି-

ଲୋକଙ୍କ ସରକାର, ଜନକଲ୍ୟାଣ ଓ ବିକାଶକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ନୂଆପଡ଼ା ଜିଲ୍ଲାରେ ୧,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛି । ଏହି ପ୍ରକଳ୍ପ ଗୁଡ଼ିକ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି କ୍ଷେତ୍ରରେ ବିପୁଳ ଅଭିବୃଦ୍ଧି ଆଣିବା ସହ ଉନ୍ନତ ସଂଯୋଗୀକରଣ, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଏବଂ ଜୀବନଧାରଣମାନର ଉନ୍ନତିକୁ ସୁନିଶ୍ଚିତ କରିବ। ସର୍ବସ୍ପର୍ଶୀ ଓ ସମାବେଶୀ ବିକାଶ ସହ ଓଡ଼ିଶାର ଜନସାଧାରଣଙ୍କ ସେବା କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମ ସରକାର ସଂକଳ୍ପବଦ୍ଧ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର , ଜିଲ୍ଲାପାଳ ମଧୁସୂଦନ ଦାଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରମୁଖ ନେତା ଉପସ୍ଥିତ ଅଛନ୍ତି ।

ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ

କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି।

ଭୁବନେଶ୍ୱର: କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ସହର ହେଉଛି ହଜାର ବର୍ଷର ସହର। ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର। କିନ୍ତୁ ଗତ କିଛି ଦିନ ଧରି କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହିଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାରଙ୍କ ନଜର ରହିଛି ଏବଂ ସେମାନଙ୍କ ଉପରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସହରର ଐତିହ୍ୟକୁ ଆହୁରି ଉପରକୁ ନେବା ପାଇଁ ସମସ୍ତେ ମିଳିମିଶି ଶାନ୍ତି ଶୃଙ୍ଖଳାର ସହିତ ଆଗକୁ ବଢନ୍ତୁ ଏବଂ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।