ପୃଥିବୀଠୁ ୧୫ ଲକ୍ଷ କିମି ଦୂର ହାଲୋ ଅର୍ବିଟକୁ ଯିବ ଆଦିତ୍ୟ-L1

ଚନ୍ଦ୍ରରେ ସଫଳତାର ସହ ଚନ୍ଦ୍ରଯାନ3 ଅବତରଣ କରିବା ପରେ ଏବେ ସୂର୍ଯ୍ୟ ମିଶନରେ ଇସ୍ରୋ ।  ସେପ୍ଟେମ୍ବର ୨, ଶନିବାର, ଦିନ ୧୧ଟା ୫୦ ରେ ସୂର୍ଯ୍ୟ ଅଭିମୁଖେ ଇସ୍ରୋ ପଠାଇବ ‘ଆଦିତ୍ୟ-L1’ । ମିଶନ୍ ‘ଆଦିତ୍ୟ’ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍ । ଚନ୍ଦ୍ରୟାନର ସଫଳତା ପରେ ଉତ୍ସାହର ଶିଖରରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏହି ନୂଆ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଛି । ଏହି ଅଭିଯାନ ସୂର୍ଯ୍ୟ ଉପରେ ଗବେଷଣା କରିବ ।  ସୂର୍ଯ୍ୟ ଉପରେ ଗବେଷଣା ପାଇଁ ଭାରତ ପଠାଇବ ପ୍ରଥମ ସ୍ପେଶ୍ ଅବଜର୍ଭେଟୋରି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ PSLV C-57 ରକେଟ୍ ସହାୟତାରେ ଉତକ୍ଷେପଣ ହେବ ଆଦିତ୍ୟ-L1 ସେପ୍ଟେମ୍ବର ୨ରେ ଲଞ୍ଚ୍ ହେବା ପରେ ଏହା ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା L1ରେ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ । ଏହାକୁ ନେଇ ଏବେ ଇସ୍ରୋ ଅଧିକ ଉତ୍ସାହିତ ଥିବା କହିଛି ।