ଆଜିଠୁ ଭାରତ-ଆୟର୍ଲାଣ୍ଡ୍ ଶୃଙ୍ଖଳା: ଆୟର୍ଲାଣ୍ଡ୍ ବିପକ୍ଷରେ ୩ ଟି ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ
ଡବ୍ଲିନ୍: ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଭାରତୀୟ ଦଳ ଆୟର୍ଲାଣ୍ଡ୍ ବିପକ୍ଷରେ ୩ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଋତୁରାଜ ଗାଏକ୍ବାଡ୍, ରିଙ୍କୁ ସିଂହ, ଜିତେଶ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ୨୯ ବର୍ଷୀୟ ବୁମରା ନିଜ ପିଠିର ନିମ୍ନଭାଗରେ ଅସ୍ତ୍ରୋପଚାର କରାଇବା ପରେ ଫେରିଛନ୍ତି। ୧୧ ମାସ ଧରି ପଡ଼ିଆ ବାହାରେ ରହିବା ପରେ ବୁମରା ଭାରତର ନେତୃତ୍ବ ନେଇ ଫେରିବାକୁ ଯାଉଥିବାରୁ ସମସ୍ତଙ୍କ ନଜର ତାଙ୍କ ଉପରେ ନିବଦ୍ଧ ରହିଛି। ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ସେ ଆହତ ହୋଇ କ୍ରିକେଟ୍ଠାରୁ ଦୂରେଇ ରହିଥିଲେ। ୫ ଦିନ ଭିତରେ ଭାରତ ଏହି ୩ ମ୍ୟାଚ୍ ଶୃଙ୍ଖଳା ଖେଳିବାର ଥିବାରୁ ବୁମରା ଏହି ସମୟ ମଧ୍ୟରେ ସର୍ବାଧିକ ୧୨ ଓଭର ବୋଲିଂ କରିପାରିବେ।