ପଦୁଗୁଡ଼ାର ବାସ୍ତବ ସମସ୍ୟା ବଖାଣିଲେ କୁନି ଛାତ୍ରୀ ସୋନାଲି
କୋରାପୁଟ: ସ୍ବାଧୀନତା ପରେ ମଧ୍ୟ ଅନେକ ଗାଁର ଚିତ୍ର ବଦଳିନି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ବହୁ ପଛରେ ଗାଁ । ଏହି କଥା ମନ୍ତ୍ରୀଙ୍କୁ ଭିନ୍ନ ମାଧ୍ୟମରେ ଜଣାଇଛନ୍ତି କୁନି ଛାତ୍ରୀ । ଦଶମନ୍ତପୁର ବ୍ଲକ୍ ପଦଗୁଡା ଗାଁରେ ସମସ୍ୟା ଖୁନ୍ଦିହୋଇ ରହିଛି। ଗାଁରେ ୬୬ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି। କିନ୍ତୁ ଯାତାୟାତ ପାଇଁ ନିତିଦିନିଆ ରାସ୍ତା ନାହିଁ। ଲୁଲା ପଞ୍ଚାୟତରୁ ଏହି ଗାଁକୁ ଯିବାକୁ ହେଲେ ପାହାଡିଆ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ବିଶୁଦ୍ଧ ପାଣି ପାଇଁ ଗାଁରେ କୂଅ, ନଳକୂପ ନଥିବାରୁ ଗ୍ରାମବାସୀ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି। ସ୍ବାସ୍ଥ୍ୟସେବା ପାଇଁ ଡାକ୍ତରଖାନା ନାହିଁ। ଅସୁସ୍ଥ ହେଲେ କିମ୍ବା ଗର୍ଭବତୀଙ୍କୁ ଦୋଳାରେ ଆଣିବାକୁ ପଡୁଛି। ଗ୍ରାମରେ ବିଦ୍ୟୁତ୍ ଓ ମୋବାଇଲ୍ ସେବା ମଧ୍ୟ ଉପଲବ୍ଧ ନାହିଁ। ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ବିଦ୍ୟାଳୟ ମଧ୍ୟ ନାହିଁ। ବିକାଶ ପାଇଁ ପ୍ରତିଶ୍ରୁତି ଦେଲେ ତୁମର ଧର୍ମ ହେବ ବୋଲି ମନ୍ତ୍ରୀଙ୍କୁ କୁନି ଛାତ୍ରୀ ସୋନାଲି ନିବେଦନ କରିଛନ୍ତି।
ଦେଶ ୭୭ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମ୍ମୁଖରେ ଗ୍ରାମାଞ୍ଚଳ ବିକାଶର ବିକଳ ଚିତ୍ରକୁ ଅଭିନୟ ମାଧ୍ୟମରେ ଉପସ୍ଥାପନ କରି ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟ ଶିଶୁ ମନ୍ଦିର ଶିଶୁ ବାଟିକାରେ ପଢ଼ୁଥିବା ୪ବର୍ଷର ସୋନାଲି ଦାସ। ଆମର ଗାଁକେ ଯିବାକେ ରାସ୍ତା ନାଏଁ, ପିଇବାକେ ପାଣି ନାଏଁ, ଚୁଆ ତାନୁ ପାଣି ଆଣି ପିଉଛୁ ବାବୁ, ଖଟିଆନେ ବୁହା ହୋଇ ମେଡିକାଲ୍ ଆସୁଛୁ, ଆମେ ବେଶୀ କଷ୍ଟରେ ଅଛୁ ବାବୁ। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।