ଓଡ଼ିଶା ଚାଷୀଙ୍କୁ ଦିଲ୍ଲୀରୁ ଡକରା: ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ

ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୭୭ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ବହୁ ଚାଷୀ, ମତ୍ସ୍ୟଜୀବୀ, ମନରେଗା ଶ୍ରମିକ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ । ଓଡ଼ିଶାରୁ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରୁ ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ଅନ୍ତର୍ଗତ ଚାଉଳଶୁଖା ଗ୍ରାମର ମହିଳା ଚାଷୀମାନେ ନାରୀ ସଶକ୍ତିକରଣର ପରାକାଷ୍ଠା ଦେଖାଇଛନ୍ତି । ଏମାନେ କୃଷକ ଉତ୍ପାଦକ ସଂଗଠନ ତିଆରି କରି କପା ଉତ୍ପାଦନ ଓ କାର୍ପାସ ସାମଗ୍ରୀର ସଫଳ ବିପଣନ କରି ଭଲ ରୋଜଗାର କରିବା ସହ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ପ୍ରଥମେ ଏହି ଗ୍ରାମର ୧୦ଜଣ ମହିଳା ମିଶି ଏକ କୃଷକ ଉତ୍ପାଦକ ସଂଗଠନ ତିଆରି କରିଥିଲେ । ପରବର୍ତ୍ତୀ ସମୟରେ ସଦସ୍ୟ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଥିଲା । ପ୍ରତି ମହିଳା ୨ହଜାର ଟଙ୍କା ଲେଖାଏଁ ଜମା କରି ମହାଶକ୍ତି ଫାଉଣ୍ଡେସନ ମାଧ୍ୟମରେ ନାବାର୍ଡର ସହାୟତା ଲୋଡ଼ିଥିଲେ । ଆସନ୍ତା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ନିମନ୍ତ୍ରଣ ପାଇଥିବାରୁ ସଂଗଠନ ସଦସ୍ୟା ସରସ୍ଵତୀ ମେହେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସେହିପରି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ କାଣ୍ଡାପା ଗ୍ରାମରୁ ଦିଲ୍ଲୀ ଯାତ୍ରା କରିବେ ଅନୁସୂଚିତ ଜନଜାତି ଚାଷୀ ମିନୁରା ପ୍ରଧାନ । ଦିଲ୍ଲୀର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ କେନ୍ଦ୍ର ସରକାର ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଦେଶ ସ୍ୱାଧୀନ ହେବାପରେ ପ୍ରଥମ ଥରପାଇଁ ଏହି ଅଞ୍ଚଳର ଜଣେ ଚାଷୀଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି । ମିନୁରା ପ୍ରଧାନ ପତ୍ନୀ ନିମନ୍ତି ପ୍ରଧାନଙ୍କ ସହ ଦିଲ୍ଲୀ ଯିବେ । ମିନୁରା ହଳଦୀ ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ସେହି ଅଞ୍ଚଳର ଜଣେ ପ୍ରତିଷ୍ଠିତ ଚାଷୀ ରୂପେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ସେ ବର୍ତ୍ତମାନ ଦାରିଙ୍ଗିବାଡ଼ି ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ର ଅଧ୍ୟକ୍ଷ ଅଛନ୍ତି । ଏ

ସେହିପରି ପିପିଲି -୪ ଏସ୍ ଆର ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ସଦସ୍ୟମାନେ ଦିଲ୍ଲୀ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସମ୍ମାନିତ ହେବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଛତୁ ଚାଷରେ ସଫଳତା ପାଇଁ ସେମାନଙ୍କୁ ସମ୍ମାନିତ କରାଯିବ ।