ଡିଏନଏ ରିପୋର୍ଟରୁ ସ୍ପଷ୍ଟ : ଦିନେଶ-ଦୀପିକା ହିଁ ଶିଶୁର ବାପା-ମାଆ
ବ୍ରହ୍ମପୁର: ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ହେଉଛନ୍ତି ଦିନେଶ ଓ ଦୀପିକା। ଆସିଲା ଦିନେଶ-ଦୀପିକାଙ୍କ ଡିଏନଏ ରିପୋର୍ଟ। ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ୍ ଲାବ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ମାସ ମାସ ଧରି ଦାବି କରିଆସୁଛନ୍ତି ବ୍ରହ୍ମପୁରର କେ. ଦୀପିକା। ସେ ଗତ ଅକ୍ଟୋବର ମାସରେ ମହିଳା କମିସନଙ୍କ ନିକଟରେ ଗୁହାରି କରିଥିଲେ। ନ୍ୟାୟ ଆଶାରେ ୫ମ ଥର ପାଇଁ ନିର୍ଦ୍ଧାରିତ ସମୟରେ ଦୀପିକା କମିସନଙ୍କ ନିକଟରେ ହାଜର ହୋଇଥିଲେ। ଅପରପକ୍ଷେ ପ୍ରଥମଥର ପାଇଁ ଦିନେଶ ନିଜ ବାପା ଓ ମା’ଙ୍କ ସହ ହାଜର ହୋଇଥିଲେ। ରାଜ୍ୟ ମହିଳା କମିସନ ଅଧ୍ୟକ୍ଷାଙ୍କ ସମ୍ମୁଖରେ ଉଭୟ ପକ୍ଷ ରଖିଥିଲେ। ଦୀପିକାଙ୍କୁ ବୋହୂ ଭାବେ ଗ୍ରହଣ କରିବାକୁ ଦିନେଶ ଓ ତାଙ୍କ ବାପା-ମା’ ସିଧାସଳଖ ମନା କରିଦେଇଥିଲେ। କିନ୍ତୁ, ଯଦି ଡିଏନ୍ଏ ରିପୋର୍ଟରେ ଶିଶୁପୁତ୍ର ଦିନେଶଙ୍କର ବୋଲି ପ୍ରମାଣିତ ହୁଏ, ତେବେ ଶିଶୁପୁତ୍ରକୁ ତାଙ୍କ ପରିବାର ଗ୍ରହଣ କରିବେ ବୋଲି କହିଥିଲେ। ଏବେ ଦୀପିକାଙ୍କୁ ନ୍ୟାୟ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । ସ୍ତ୍ରୀର ଅଧିକାର ଓ ପୁଅକୁ ତାର ବାପାର ପରିଚୟ ପ୍ରଦାନ ଦାବିରେ ଗତ ବର୍ଷ ଅଗଷ୍ଟ ମାସ ୨ ତାରିଖରେ ଦୀପିକା ନିଜର ପ୍ରେମିକା ଦିନେଶଙ୍କ ବ୍ରହ୍ମପୁର ଦେଶୀବେହେରା ସାହିରେ ରହିଥିବା ଘର ବାରଣ୍ଡାରେ ଧାରଣାରେ ବସିବା ଆରମ୍ଭ କରିଥିଲେ । ଦୀର୍ଘ ମାସ ଧରି ଧାରଣାରେ ବସି ସେ ନ୍ୟାୟ ପାଇଁ ଲଢ଼େଇ କରିଥିଲେ । ପରବର୍ତ୍ତୀ ସମୟରେ ଏନେଇ ହାଇକୋର୍ଟକୁ ଯିବା ପରେ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖି ଧାରଣାରୁ ଓହରି ଯାଇଥିଲେ । ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ଏବେ ପୁଣି ଦାବି କରିଛନ୍ତି ଦୀପିକା ।