ଭାରତକୁ ୨ ୱିକେଟ୍ରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍
ପ୍ରଭିଡେନ୍ସ: ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଭାରତକୁ ୱେଷ୍ଟଇଣ୍ଡିଜ୍ ରୋମାଞ୍ଚକ ଭାବେ ୨ ୱିକେଟ୍ରେ ପରାସ୍ତ କରିଛି। ଭାରତ ମାତ୍ର ୧୫୨ ରନ୍ କରିଥିବାବେଳେ ୱେଷ୍ଟଇଣ୍ଡିଜ୍ ୭ ବଲ୍ ପୂର୍ବରୁ ୮ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରି ନେଇଥିଲା। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଈଶାନ କିଶନ ୨୩ ବଲ୍ରୁ ୨୭ ରନ୍ କରି ବିଦାୟ ନେଇଥିଲେ। ସଂଜୁ ସାମସନ୍ (୭ ବଲ୍ରୁ ୭ ରନ୍) ଆଉ ଏକ ସୁଯୋଗ ହାତଛଡ଼ା କରିଥିଲେ। ପ୍ରଥମ ମ୍ୟାଚ୍ ଭଳି ତିଳକ ବର୍ମା ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଏକ ସମ୍ମାନରକ୍ଷାକାରୀ ଭାଗୀଦାରି କରିଥିଲେ। ନିଜ ଦ୍ବିତୀୟ ଅନ୍ତର୍ଜାତୀୟ ମ୍ୟାଚ୍ରେ ୪୧ ବଲ୍ରୁ ୫୧ ରନ୍ କରିବା ସହ ତିଳକ ପ୍ରଥମ ଅର୍ଦ୍ଧଶତକ ସହ ଦ୍ବିତୀୟ ଥର ପାଇଁ ଭାରତ ପାଳିର ସର୍ବାଧିକ ସ୍କୋରର୍ ରହିଥିଲେ। ହାର୍ଦିକ ପାଣ୍ଡ୍ୟା (୧୮ ବଲ୍ରୁ ୨୪ ରନ୍)ଙ୍କୁ ଯୋସେଫ୍ ତାଙ୍କ ଦ୍ବିତୀୟ ଶିକାର କରିବାରୁ ଭାରତ ବଡ଼ ସ୍କୋର୍ ଦିଗରେ ଅଗ୍ରସର ହୋଇପାରିନଥିଲା। ଅକ୍ଷର ପଟେଲଙ୍କ ୧୨ ବଲ୍ ୧୪ ରନ୍ ପାଇଁ ଭାରତ ୧୫୨ ରନ୍ କରିପାରିଥିଲା।
ଜବାବରେ ହାର୍ଦିକ ପାଣ୍ଡ୍ୟା ପ୍ରଥମ ଓଭରରେ ୩ ବଲ୍ ଭିତରେ ୨ ୱିକେଟ୍ ବାହାର କରି ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। କାଏଲ ମାୟର୍ସଙ୍କୁ ପ୍ୟାଭିଲିଅନ୍ ପଠାଇ ଅର୍ଶଦୀପ ସିଂହ ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଘରୋଇ ଦଳ ଚତୁର୍ଥ ଓଭର ନ ସରୁଣୁ ୩୨/୩ରେ ସଂଘର୍ଷ କରିଥିଲା। ପୂରନ ୪୦ ବଲ୍ରୁ ୬୭ ରନ୍ କରିବା ନିର୍ଣ୍ଣାୟକ ହୋଇଥିଲା। ପାୱେଲ ଓ ପୂରନଙ୍କ ବିଦାୟ ପରେ ସିମ୍ରନ୍ ହେଟମାୟର୍ କିଛି ସମୟ ଲଢ଼ିଥିଲେ। ଚହଲଙ୍କ ଗୋଟିଏ ଓଭରରେ ୩ ୱିକେଟ୍ର ପତନ ପୁଣି ରୋମାଞ୍ଚ ଭରିଥିଲା। ବୋଲିଂ ସଫଳତା ପରେ ନବମ ୱିକେଟ୍ ପାଇଁ ଅକିଲ୍ ହୋସେନ୍-ଅଲଜାରି ହୋସେନ୍ ୨.୫ ଓଭରରୁ ୨୬ ରନ୍ ଯୋଡ଼ି ଦଳକୁ ବିଜୟୀ କରାଇଥିଲେ।ନିକୋଲାସ୍ ପୂରନ୍ ମ୍ୟାଚ୍ ବିଜୟୀ ପାଳି (୪୦ ବଲ୍ରୁ ୬୭ ରନ୍) ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।