କଂଗ୍ରେସ ଦଳର ନାରା ବଦଳି 8ରୁ 80 ହେଲା କି?

ଭୁବନେଶ୍ବର: କଂଗ୍ରେସ କନ୍ଦଳକୁ ନେଇ ସାରା ରାଜ୍ୟରେ ଚର୍ଚା । ଦଳରୁ ବିଧାୟକ ମହମ୍ମଦ ମୋକିମ ନିଲମ୍ବନ ହେବା ପରେ ଏବେ ଦଳର ବିଧାୟକଙ୍କ ସଂଖ୍ୟା 8କୁ ଖସି ଆସିଛି । 9ରୁ 90 କହି ଚର୍ଚାରେ ଥିବା ପିସିସି ସଭାପତି ଶରତ ପଟ୍ଟନାୟକ କଣ ଏବେ ସରକାର ଗଠନ କରିବା ପାଇଁ 8ରୁ 80 ନାରା ଦେବେ ।  ବିଧାୟକ ମହମ୍ମଦ ମୋକିମ୍ ଏବଂ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବନ ପରେ କଂଗ୍ରେସରେ ଯେତିକି  ଅସନ୍ତୋଷ ପ୍ରକାଶ ପାଇଛି ତାଠୁ ଅଧିକ ପ୍ରଶ୍ନ ଉଠିଛି ସାଧାରଣ ଲୋକ ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ନିକଟରୁ ।

YouTube player

ଦୁଇ ନେତାଙ୍କ ସମର୍ଥନରେ ସମର୍ଥକମାନେ ବାହାରି ପ୍ରତିବାଦ କରୁଛନ୍ତି ଏବଂ  ପ୍ରଶ୍ନ କରୁଛନ୍ତି ଶରତ ପଟ୍ଟନାୟକଙ୍କୁ । ପ୍ରଥମେ ସରକାର ଗଠନ କରିବାକୁ ଶରତ ପଟ୍ଟନାୟକ କହୁଥିଲେ । ଏବେ କିନ୍ତୁ ଦଳରୁ ନେତାଙ୍କୁ ନିଲମ୍ବନ କରୁଛନ୍ତି ।  23 ବର୍ଷ ହେଲା ରାଜ୍ୟରେ କଂଗ୍ରେସ ସରକାର ଗଠନରୁ ଦୂରରେ ରହିଛି । ଏଭଳି ସ୍ଥିତିରେ ଦଳ ପୁଣି ବରିଷ୍ଠ ନେତାଙ୍କୁ ଦଳକୁ  ଆଣିବାକୁ ଯୋଜନା କରୁଛି । ଏହି ତାଲିକାରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ତେବେ ଯୁବ ନେତାଙ୍କୁ ବିତାଡିତ କରି ଦଳ ବରିଷ୍ଠଙ୍କୁ ଆଣି କି ବାର୍ତ୍ତା ଦେବାକୁ ଦଳ ଚାହୁଁଛି ବୋଲି କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରଶ୍ନ କରୁଛନ୍ତି । ସେପଟେ  ଲୋକପ୍ରିୟ ବିଧାୟକ ଥିବା ମୋକିମ ଏବଂ ଚିରଞ୍ଜୀବଙ୍କୁ ଦଳର ବାହାର କରି କଣ କରିବାକୁ ଚାହାଁନ୍ତି ଶରତ ପଟ୍ଟନାୟକ ତାହା ଏବେ ବଡ଼ ପ୍ରଶ୍ନ ।  ଓଡ଼ିଶାରେ କଂଗ୍ରେସ ଦିନକୁ ଦିନ ତଳକୁ ଖସୁଛି । କଂଗ୍ରେସକୁ ମଜଭୁତ କରିବାକୁ କଟକ ବାରବାଟୀ ବିଧାୟକ ମୋକିମ ଓ ଚିରଞ୍ଜୀବୀଙ୍କ ଭୂମିକା ରହିଛି । ଦୁଇ ନେତାଙ୍କ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର ନହେଲେ ଆଗକୁ ଏହା ଦଳ ପାଇଁ ଆତ୍ମଘାତୀ ହେବ । ତେବେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବର୍ତମାନ ସୁଦ୍ଧା କୌଣସି ଅଭିଯୋଗ ତାଙ୍କ ପାଖକୁ ଆସିନାହିଁ । ଅଭିଯୋଗ ଆସିଲେ ହାଇକମାଣ୍ଡଙ୍କ ପାଖକୁ ପଠାଇବେ ।