ଭୁବନେଶ୍ବର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ ପରେ ଜୋର ଧରିଛି କଂଗ୍ରେସ ରାଜନୀତି । ଗୋଟେ ପଟେ ବିଧାୟକ ମୋକିମ ତାଙ୍କର କଣ ଭୁଲ ରହିଲା ବୋଲି ପ୍ରଶ୍ନ କରିଥିବା ବେଳେ ମୋକିମ ଓ ଚିରଞ୍ଜୀବଙ୍କ ସମର୍ଥକ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ମୋକିମ କହିଛନ୍ତି ଦଳ ପାଇଁ ସେ ସବୁ କିଛି କରିଛନ୍ତି । ୪୦ ବର୍ଷ ପରେ କଟକକୁ କଂଗ୍ରେସ ଆସିଥିଲା ତାହା କଣ ତାଙ୍କର ଭୁଲ ଥିଲା କି । ଦଳକୁ ସୁଦୃଢ଼ କରିବା ପାଇଁ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଏକଜୁଟ କରୁଥିଲେ ତାହା କଣ ତାଙ୍କର ଭୁଲଥିଲା କି? । ରାଜ୍ୟର ସମସ୍ତ ମହାନଗରରେ କଂଗ୍ରେସ ଶୂନ ଥିବା ବେଳେ ଚଳିତ ନିର୍ବାଚନରେ କଟକରେ ମୋକିମଙ୍କ ଯୋଗୁଁ କଂଗ୍ରେସର ୧୦ ଜଣ କର୍ପୋରେଟର ଜିତିକି ଆସିଥିଲେ ତାହା କଣ ତାଙ୍କର ଭୁଲ ଥିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିବ । ଏପରିକି ତାଙ୍କୁ ଦଳ ଯଦି ଆଗାମୀ ନିର୍ବାଚନରେ ଟିକେଟ ନଦିଏ ତେବେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି ।

ସେହିଭଳି କଂଗ୍ରେସ ସମର୍ଥକ ମାନେ କହିଛନ୍ତି ଯେ ଓଡିଶାରେ କଂଗ୍ରେସକୁ ମଜଭୂତ କରିବାରେ ମୋକିମଙ୍କ ଭୂମିକା ରହିଛି । ଏଭଳି ଜଣେ ନେତାଙ୍କ ଉପର କାର୍ଯ୍ୟାନୁଷ୍ଠାନ ନେଇ ଦଳ ଠିକ୍ କରିନାହିଁ । ବିନା କାରଣରେ ପିସିସି ସଭାପତି ଶରତ ପଟ୍ଟନାୟକ ଦୁଇ ନେତାଙ୍କୁ ନିଲମ୍ବନ ପାଇଁ ଏଆଇସିସି କୁ ସୁପାରିଶ କରିଛନ୍ତି ଯାହା କଂଗ୍ରେସ କର୍ମୀଙ୍କୁ ଅସନ୍ତୁଷ୍ଟ କରିଛି । ଦୁଇ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା ।