ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ମୈାସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିବେଶନରେ ସମସ୍ତ ସାଂସଦ ଭାଗନେବାକୁ ଅନୁରୋଧ କରିଛନ୍ତି । ସବୁ ଦଳ ଏବଂ ସାଂସଦଙ୍କୁ ଏହି ଅଧିବେଶନରେ ଜନହିତକର କାର୍ଯ୍ୟରେ ସହଯୋଗ କରିବା ପାଇଁ ଆହ୍ବାନ ଦେଇଛନ୍ତି । ମଣିପୁର ହିଂସାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ହିଂସାକାରୀଙ୍କୁ ଛଡାଯିବ ନାହିଁ ବୋଲି କହିଛନ୍ତି । ଅଧିବେଶନ ପ୍ରାରମ୍ଭରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ।

ସେପଟେ ମୌସୁମୀ ଅଧିବେଶନରେ ସଂସଦରେ ଉଠିବ ଓଡ଼ିଶାର ଦାବି । ୯ଟି ପ୍ରସଙ୍ଗକୁ ଗୃହରେ ଉଠାଇବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହିଳା ସଂରକ୍ଷଣ ବିଲ୍, ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବି ଏବଂ ପିଏମଜିକେଏଓ୍ବାଇରେ ୭ ଲକ୍ଷ ଲୋକଙ୍କ ପାଇଁ ଘର ଏବଂ ପିଏମଏଓ୍ବାଇରେ ୫ କେଜି ଚାଉଳ ପୁଣି ଦେବାକୁ ଦାବି ଉଠାଇବ ବିଜେଡି । ଚାଷୀଙ୍କ ସ୍ବାର୍ଥ ପାଇଁ ବଳକା ଚାଉଳ ଉଠାଣ, ଏମଏସପି ଏବଂ ଠିକ୍ ସମୟରେ ଫସଲ କିଣାବିକା ପ୍ରସଙ୍ଗ ସଂସଦରେ ଉଠାଇବ ବିଜେଡି । ଏଥିସହ ସାର ଯୋଗାଣ, ଯୋଗାଯୋଗ ଭିତ୍ତିଭୂମି, କେନ୍ଦୁପତ୍ରରୁ ୧୮ ପ୍ରତିଶତ ଜିଏସଟି ହଟାଇବା ନେଇ ଗୃହରେ ଦାବି ଉଠାଯିବ  ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଏନେଇ ରଣନୀତି ଚୂଡାନ୍ତ ହୋଇଛି । ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟ ସ୍ୱାର୍ଥ୍ୟ ସମ୍ପର୍କିତ ପ୍ରସଙ୍ଗଗୁଡିକୁ ବଳିଷ୍ଠ ଭାବେ ଉତ୍ଥାପନ କରିବାକୁ ସବୁ ସାଂସଦଙ୍କୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି ।  ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଝଡ଼ ସୃଷ୍ଟି ହେବା ନେଇ ଆଶଙ୍କା ରହିଛି ।  ଗୃହରେ ମଣିପୁର ପ୍ରସଙ୍ଗ ଆଲୋଚିତ ହେବ ବୋଲି ସରକାର କହିଥିବାବେଳେ ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିବେ । ଏହା ସହ ଦରବୃଦ୍ଧି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ ପ୍ରସଙ୍ଗରେ ବି ବିରୋଧୀ ନାରାବାଜି କରିବା ସମ୍ଭାବନା ରହିଛି । ଚଳିତ ଅଧିବେଶନରେ ୩୨ଟି ବିଧେୟକ ଆଗତ ହେବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।