ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଏତଲା

ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି ତାଙ୍କରି ଦଳର ନେତ୍ରୀ ସଂଯୁକ୍ତା ମହଲା। ତା’ସହିତ ସେ ପୁଲିସ କମିଶନରଙ୍କୁ ଭେଟି ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।ସଂଯୁକ୍ତା କହିଛନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦୀର୍ଘ ୯ ବର୍ଷ ଧରି ମୋ ସହିତ ସଂପର୍କ ରଖି ଏବେ ପ୍ରତାରଣା କରିଛନ୍ତି। ସେ ମୋତେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି। ତେଣୁ ମୋତେ ମୋ ଅଧିକାର ପ୍ରଦାନ କରିବା ତଥା ତାଙ୍କୁ ଦଣ୍ଡ ଦେବା ପାଇଁ ମୁଁ ଥାନାର ଦ୍ୱାରସ୍ଥ ହୋଇଛି।ସେ କହିଛନ୍ତି, ଶ୍ରୀକାନ୍ତ ସାହୁ ମୋତେ ମାରି ଦେବାକୁ ଧମକ ଦେଉଛନ୍ତି। ଦୁଇ ଦିନ ହେଲାଣି ମୋ ପଛରେ ଲୋକ ଲଗାଇଛନ୍ତି। ମୁଁ ଯେଉଁଆଡ଼େ ଯାଉଛି ୪ରୁ ୬ ଜଣ ଲୋକ ମୋତେ ପିଛା କରୁଛନ୍ତି। ଯେଉଁ ସଂସ୍ଥାଗୁଡ଼ିକ ସହିତ ମୁଁ ଜଡ଼ିତ ସେହି ସବୁ ସ୍ଥାନକୁ ତାଙ୍କ ଦ୍ୱାରା ନିଯୁକ୍ତ ଲୋକେ ସେଠାରେ ପହଞ୍ଚି ଧମକଚମକ ଦେଉଛନ୍ତି। ଘରୁ ବାହାରିବାକୁ ମୋତେ ଡର ଲାଗୁଛି। ମୋ ଜୀବନ ପ୍ରତି ବିପଦ ଅଛି। ମୋତେ ବର୍ତ୍ତମାନ ସୁରକ୍ଷା ଦରକାର। ଆଶା କରୁଛି ମୋତେ ନ୍ୟାୟ ମିଳିବ।