ଦିନିକିଆ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କଲା ନେଦରଲ୍ୟାଣ୍ଡସ
୫ ଅକ୍ଟୋବରରୁ ଭାରତରେ ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିପାଇଁ ପୂର୍ବରୁ ହିଁ ୯ଟି ଦଳ କ୍ୱାଲିଫାଏ କରିସାରିଛନ୍ତି । ଦଶମ ଦଳ ଭାବେ ନେଦରଲ୍ୟାଣ୍ଡ କ୍ରିକେଟ ଦଳ ଖେଳିବ ବିଶ୍ବକପ । କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ୪ ୱିକେଟରେ ପରାଜିତ କରିଛି ନେଦରଲ୍ୟାଣ୍ଡ । ଏହି ବିଜୟ ସହ ନେଦରଲ୍ୟାଣ୍ଡ ଦଳ ଦିନିକିଆ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିଛି । ସ୍କଟଲ୍ୟାଣ୍ଡ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୭ ରନ୍ କରିଥିଲା । ଏହାର ଜବାବରେ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିବା ପାଇଁ ନିଜର ରନରେଟ୍ ଭଲ କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇଥିବା ନେଦରଲ୍ୟାଣ୍ଡ ସମ୍ପୂର୍ଣ୍ଣ ଜୋର ଲଗାଇଥିଲା । ନେଦରଲ୍ୟାଣ୍ଡ ଦଳ ୪୩ତମ ଓଭରରେ ୬ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି । ଏହା ପୂର୍ବରୁ ଶ୍ରୀଲଙ୍କା ଦଳ ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚରେ ନିଜ ସମସ୍ତ ମୁକାବିଲା ଜିତି ପୂର୍ବରୁ ହିଁ କ୍ୱାଲିଫାଏ ହୋଇସାରିଛି ।