ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବାକୁ ପଡ଼ିବ : ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍ସିଓ ବୈଠକରେ ଅଧ୍ୟକ୍ଷତା କରି ଆତଙ୍କବାଦ ବିଶ୍ବ ପାଇଁ ବଡ଼ ବିପଦ ବୋଲି କହିଛନ୍ତି। ପାକିସ୍ତାନର ନାମ ନନେଇ ମୋଦି କହିଛନ୍ତି ଯେଉଁମାନେ ଆତଙ୍କବାଦୀ ପୋଷୁଛନ୍ତି ସେମାନେ ମଧ୍ୟ ଏହାର ଫଳ ପାଉଛନ୍ତି । ଭର୍ଚୁଆଲ ମୋଡରେ ହେଉଥିବା ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପାକିସ୍ତାନ ରାଷ୍ଟ୍ରପତି ଶେହବାଜ ସରିଫ ସାମିଲ ହୋଇଥିଲେ। ଆତଙ୍କବାଦ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି ପାଇଁ ଏକ ପ୍ରମୁଖ ବିପଦ ପାଲଟିଛି । ଏହି ଆହ୍ୱାନର ମୁକାବିଲା କରିବା ଲାଗି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ଆତଙ୍କବାଦ ଯେକୌଣସି ରୂପ, ଯେକୌଣସି ଅଭିବ୍ୟକ୍ତିରେ ଥାଉ ପଛେ, ଆମକୁ ଏହା ବିରୋଧରେ ମିଳିତ ଭାବେ ଲଢ଼େଇ କରିବାକୁ ହେବ । କିଛି ଦେଶ, ସୀମାପାର୍ ଆତଙ୍କବାଦକୁ ନିଜ ନୀତିର ଏକ ପ୍ରମୁଖ ଉପାଦାନ ଭାବେ ବ୍ୟବହାର କରିଥାନ୍ତି । ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇଥାନ୍ତି । ଏସସିଓ ଏପରି ଦେଶ ବିରୋଧରେ ସ୍ୱର ଉତ୍ତୋଳନ କରିବା ଲାଗି ସଂକୋଚ କରିବା ଉଚିତ୍ ନୁହେଁ । ଏଭଳି ଗମ୍ଭୀର ବିଷୟରେ ଦୋହରା ମାନଦଣ୍ଡ ଆପଣାଇବା ଆଦୌ ଉଚିତ୍ ନୁହେଁ । ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣର ମୁକାବିଲା କରିବା ଲାଗି ମଧ୍ୟ ଆମକୁ ଆପୋସ ସହଯୋଗ ବଢ଼ାଇବାକୁ ହେବ । ଏଥିରେ ଏସସିଓର ଆରଏଟିଏସ ବ୍ୟବସ୍ଥାର ବିଶେଷ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ଦେଶଗୁଡ଼ିକର ଯୁବକମାନଙ୍କ ମଧ୍ୟରେ ଉଗ୍ରବାଦର ପ୍ରସାରକୁ ରୋକିବା ଲାଗି ମଧ୍ୟ ଆମକୁ ଆହୁରି ସକ୍ରିୟ ଭାବେ ପଦକ୍ଷେପ ନେବା ଉଚିତ୍ । ଉଗ୍ରବାଦ ବିଷୟ ଉପରେ ଜାରି କରାଯାଉଥିବା ମିଳିତ ବକ୍ତବ୍ୟ ଆମ ସହଭାଗୀ ପ୍ରତିବଦ୍ଧତାର ପ୍ରତୀକ ।