ମହାଲକ୍ଷ୍ମୀଙ୍କ ରାଗପରେ ତିନିରଥର ଦକ୍ଷିଣମୋଡ଼ ଆଜି
ପୁରୀ : ହେରାପଞ୍ଚମୀ ଅବସରରେ ଗୁଣ୍ଡିଚା ମନ୍ଦିର ଆସି ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ । ନୀତି ବିଳମ୍ବ ଯୋଗୁ ଭୋର ୩ଟାରେ ମାଆ ମହାଲକ୍ଷ୍ମୀ ଶ୍ରୀନଅରରୁ ଆସି ଶ୍ରୀଗୁଣ୍ଡିଚାକୁ ଆସିଥିଲେ । ଅଭିମାନ କରି ରଥ ଭାଙ୍ଗିଥିଲେ ମାଆ । ଏହା ପରେ ମା ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ମା’ ମହାଲକ୍ଷ୍ମୀଙ୍କ ରାଗ ଖବର ମହାପ୍ରଭୁ ପାଇବା ପରେ ଆଜି ମହାପ୍ରଭୁଙ୍କ ଆଜ୍ଞାରେ ଆଜ୍ଞାମାଳ ପ୍ରାପ୍ତ ପରେ ତିନି ରଥକୁ ଦକ୍ଷିଣମୋଡ଼ କରାଯିବ । ସକାଳ ଧୂପ ନୀତି ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ । ମାଆ ଅଭିମାନ କରି ରଥ ଭାଙ୍ଗିବା ମହାପ୍ରଭୁଙ୍କର ଏକ ମାନବୀୟ ଲୀଳା । ଏହାକୁ ଦେଖିବାକୁ ବର୍ଷା ଓ ବିଳମ୍ବିତ ରାତିରେ ଲୋକାରଣ୍ୟ ଥିଲା ଶରଧାବାଲି ।
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଆଜି ଦକ୍ଷିଣମୋଡ଼ ନେବେ। ନାକଚଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ। ଆଜିପାଇଁ ନୀତି ନିର୍ଘଣ୍ଟ ହୋଇଛି । ଭୋର ୪ଟାରେ ଦ୍ବାରଫିଟା, ସାଢ଼େ ୪ଟାରେ ଭିତରଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ-ତଡ଼ପଲାଗି, ୬ଟାରେ ଅବକାଶ ନୀତି ଅନୁଷ୍ଠିତ ହୋଇଛି। ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ନୀତି କରାଯିବା ପରେ ସାଢ଼େ ୯ଟାରେ ଗୋପାଳବଲ୍ଲଭ, ୧୦ଟାରୁ ସାଢ଼େ ୧୧ଟା ସକାଳଧୂପ ନୀତି ଅନୁଷ୍ଠିତ ହେବ।
ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ହେବ। ସାଢ଼େ ୧୦ଟାରୁ ଅପରାହ୍ଣ ଗୋଟାଏ ଭିତରେ ପ୍ରଥମ ଭୋଗମଣ୍ଡପ ଉଠିବ। ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ ନୀତି ସାଢ଼େ ୨ଟା ଭିତରେ ଶେଷ ପରେ ଅପରାହ୍ଣ ୩ଟାରେ ମହାପ୍ରଭୁଙ୍କୁ ନୂଆଲୁଗା ଲାଗି ଓ ବେଶ ହେବ। ସାଢ଼େ ୩ଟାରୁ ୫ଟା ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୪ଟାରୁ ସାଢ଼େ ୫ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ମଇଲମ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ନୀତି ଅନୁଷ୍ଠିତ ହେବ। ରାତି ୧୦ଟାରେ ରାହାସକୁ ଦିଅଁ ବିଜେ କରିବେ। ପରେ ପୁନର୍ବାର ମଇଲମ ହୋଇ ରାତି ୧୧ଟାରେ ଚନ୍ଦନ ଲାଗି ହେବ। ରାତି ୧୨ଟାରେ ବଡ଼ସିଂହାର ବେଶ ଓ ରାତି ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ହୋଇ ରାତି ଗୋଟାଏରେ ପହୁଡ଼ ହେବ।