ପାଟନାରେ ବିରୋଧୀ ଦଳର ମହାବୈଠକ: ବିଜେପିକୁ ହରାଇବାକୁ ରଣନୀତି

ପାଟନା:  ପାଟନାରେ ବିରୋଧୀ ଦଳର ମହାବୈଠକ । ବୈଠକରେ ବିଜେପି ଉପରେ ବର୍ଷିଛନ୍ତି ବିରୋଧୀ ନେତା । ବିଜେପିକୁ ଆଗାମୀ ନିର୍ବାଚନରେ ହରାଇବା ପାଇଁ ସମସ୍ତ କଳ ବଳ କୈାଶଳକୁ ଜୋର ଦେବାକୁ ନେତାମାନେ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶକୁ ବଞ୍ଚାଇବା ପାଇଁ କଂଗ୍ରେସ ବଳିଦାନ ଦେବାକୁ ପ୍ରସ୍ତୁତ। ବିରୋଧୀ ଦଳର ବୈଠକର ବଡ କଥା ହେଉଛି ଆମେ ସମସ୍ତେ ଏକାଠି ହେବୁ । ବିରୋଧୀ ଦଳଙ୍କ ପରବର୍ତ୍ତୀ ବୈଠକ ଶିମଲାରେ ଅନୁଷ୍ଠିତ ହେବ ଏବଂ ଖୁବ ଶୀଘ୍ର ତାରିଖ ଘୋଷଣା କରାଯିବ।  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦ୍ୱାରା ଆୟୋଜିତ ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା। ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ଏନସିପି ଅଧ୍ୟକ୍ଷ ଶରଦ ପାୱାର, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ନ୍ୟାସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ନେତ୍ରୀ ମେହବୁବା ମୁଫତି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ବୈଠକରେ ଯୋଗ ଦେଇଥିଲେ ।ରାହୁଲ କହିଛନ୍ତି, ଦେଶରେ ଦୁଇଟି ବିଚାରଧାରାର ଲଢ଼େଇ ଚାଲିଛି । କଂଗ୍ରେସର ଭାରତ ଯୋଡ଼ ବିଚାରଧାରା ଓ ବିଜେପିର ଭାରତ ତୋଡ଼ ବିଚାରଧାରା ମଧ୍ୟରେ ଲଢ଼େଇ ଚାଲିଛି ।