ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ

ପୁରୀ : ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ । ମଙ୍ଗଳବାରଠାରୁ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ବୁଧବାର ପୂର୍ବାହ୍ନ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଛନ୍ତି। ମଙ୍ଗଳବାରଠାରୁ ବଡ଼ଦାଣ୍ଡରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବୁଧବାର ଦିନ ଶରଧାବାଲିରେ ବିଜେ କରିଛନ୍ତି। ରଥଟଣା ଦିନ ଆଡ଼ପ ପହଣ୍ଡି ପରମ୍ପରା ବିରୋଧୀ ଥିବାରୁ ଆଜି ଅପରାହ୍ନରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ପହଣ୍ଡି କରିବାକୁ ନିଷ୍ପତ୍ତି ହୋଇଛି। ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପ(ଜନ୍ମବେଦି)କୁ ବିଜେ କରିବେ। ବୁଧବାର ସକାଳୁ ରଥ ଉପରେ ମଙ୍ଗଳ ଆଳତି ସହ ତଡ଼ପଲାଗି, ଅବକାଶ ପୂଜା ଓ ବେଶ ଶେଷପରେ ସକାଳ ପ୍ରାୟ ୯ଟାରେ ରଥଟଣା ଆରମ୍ଭ ହୋଇଥିଲା। ଏବେ ରଥରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ।