ମହାପ୍ରଭୁଙ୍କ ରଥଯାତ୍ରା : ୯ଟାରୁ ଶ୍ରୀଜିଉଙ୍କ ପହଣ୍ଡି

 ପୁରୀ : ରାତି ପାହିଲେ ପବିତ୍ର ଘୋଷଯାତ୍ରା । ରଥ ଯାତ୍ରା ପାଇଁ ତିନି ରଥଙ୍କୁ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯାଇଛି । ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଆଜ୍ଞାମାଳ ଆସିବା ପରେ ତିନି ରଥରେ ବିଜେ କରାଯାଇଥିଲା । ପୂଜାପାଠ ଓ ରୀତିନୀତି ଶେଷ ହେବା ପରେ ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ତିନି ରଥକୁ ଅଣାଯାଇଛି । ଘଣ୍ଟ ଘଣ୍ଟା କାହାଳି ନାଦ ସହ କର୍ଡନ କରି ରଥ ଟଣା ଯାଇଥିଲା । ସଂକୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ବନିରେ କମ୍ପି ଉଠିଥିଲା ପରିବେଶ । ଭକ୍ତ ଓ ଦାୟିତ୍ବରେ ଥିବା ସୁରକ୍ଷାକର୍ମୀମାନେ ଗୋଟିଏ ପରେ ଗୋଟିଏ ରଥକୁ ଟାଣି ନେଇଥିଲେ । ଏବେ ସିଂହଦ୍ବାର ସମ୍ମୁଖରେ ଉଭା ହୋଇଛନ୍ତି ନନ୍ଦିଘୋଷ, ଦେବ ଦଳନ ଓ ତାଳଧ୍ବଜ । ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନକୁ ଅପେକ୍ଷା । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତି ହୋଇସାରିଛି। ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ମଙ୍ଗଳବାର ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହେବ। ୬ଟା ୧୦ରେ ମଇଲମ ହେବ ।  ୬ଟା ୩୦ରେ ତଡ଼ପ ଲାଗି , ରୋଷହୋମ ଓ ୭ଟାରେ ଅବକାଶ ନୀତି କରାଯିବ । ପରେ ୭ଟା ୧୦ରେ ସୂର୍ଯ୍ୟପୂଜା ହେବ, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ପରେ ମହାପ୍ରଭୁଙ୍କ ବେଶ ଶେଷ କରାଯିବ। ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯିବ। ପହଣ୍ଡି ଶେଷ ହେଲା ପରେ ଦିନ ୧୨ଟା ୩୦ରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଶ୍ରୀଶ୍ରୀ ମଦନମୋହନ, ଶ୍ରୀଶ୍ରୀ ରାମ ଓ ଶ୍ରୀଶ୍ରୀ କୃଷ୍ଣ ବିଜେ ହେବେ, ୧ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଚିତାଲାଗି ବେଶ ଶେଷ ହେବ। ୨ଟା ୩୦ରୁ ୩ଟା ୩୦ ଯାଏଁ ଛେରାପହଁରା କରିବେ ଗଜପତି ମହାରାଜା । ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା ସହ  ଘୋଡ଼ା ଓ ସାରଥୀ ଲଗାଯିବ। ଏହା ପରେ ରଥ ଟାଣିବେ ଭକ୍ତ । ଆସନ୍ତାକାଲି ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମାବେଶ ହେବେ ।  ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ଆହୁରି ଭକ୍ତମାନେ ପୁରୀ ଅଭିମୁଖେ ବାହାରିଛନ୍ତି। ସମସ୍ତଙ୍କର ନଜର ମହାପ୍ରଭୁଙ୍କ ରଥରେ ବିରାଜମାନ ହେବାର ଦୃଶ୍ୟକୁ ନିଜର ଚକ୍ଷୁରେ ଦେଖିବା। ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍‌ଣ ୪ଟାରେ ଗଡ଼ିବା ଆରମ୍ଭ କରିବ। ରଥଯାତ୍ରାରେ ଗରମ ଗୁୂଳୁଗୁଳିର ମାତ୍ରା କିଛିଟା କମିବ ଓ  ଯାତ୍ରା ସମୟରେ ତାତି ଖସିବ ବୋଲି ଆକଳନ କରାଯାଇଛି । ଦିନକରେ ୩ରୁ ୫ ଡିଗ୍ରି ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ମୋ ବସର ରୁଟ ମ୍ୟାପ ମଧ୍ୟ ସ୍ଥିର କରାଯାଇଛି ।