ମଣିପୁରରେ ହିଂସା ; ଗୁଳିମାଡ଼ରେ ପୁଣି ୧୧ ଜଣଙ୍କ ମୃତ୍ୟୁ ଇମ୍ଫାଲ
ଇମ୍ଫାଲ : ମଣିପୁରରେ ହିଂସା ଥମୁନି । ବ୍ୟାପକ ସୁରକ୍ଷା ସତ୍ତ୍ବେ ହିଂସା ଘଟାଉଛନ୍ତି ଉଗ୍ରପନ୍ଥୀ । ଗତରାତିରେ ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଶତାଧିକ ସଶସ୍ତ୍ର ଉଗ୍ରପନ୍ଥୀ ଇମ୍ଫାଲ ପୂର୍ବ ଜିଲ୍ଲା ଏବଂ କାଙ୍ଗପୋକି ଜିଲ୍ଲା ସୀମା ସଂଲଗ୍ନ ଗାଁଗୁଡ଼ିକରେ ରାତି ପ୍ରାୟ ୧ଟା ସମୟରେ ଆକ୍ରମଣ କରିଥିଲେ। ଆଖିବୁଜା ଗୁଳିମାଡ଼ ଯୋଗୁଁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣଙ୍କ ଇମ୍ଫାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଅନ୍ୟ ଆହତମାନଙ୍କୁ ମଧ୍ୟ ଇମ୍ଫାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ମୈତେଇ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। କୁକି ସଂପ୍ରଦାୟ ବିରୋଧରେ ସେମାନେ ଆନ୍ଦୋଳନ କରୁଥିବାରୁ ସେମାନଙ୍କୁ ଟାର୍ଗେଟ୍ କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସୁରକ୍ଷାବାହିନୀ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି ।