ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସର୍ବଦଳୀୟ ପ୍ରତିନିଧି ପଠାଅ: କଂଗ୍ରେସ

ନୂଆଦିଲ୍ଲୀ: ମଣିପୁରରେ  ହିଂସା କମୁନାହିଁ । ପୁଣି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ହେଲେ ସେଠାକୁ ସର୍ବଦଳୀୟ ପ୍ରତିନିଧି ପଠାଇବାକୁ କଂଗ୍ରେସ ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ମାସରେ ମନ୍‌ କୀ ବାତ୍‌ କରୁଥିବାବେଳେ ଅନ୍ତତଃ ଥରେ ‘ମଣିପୁର କୀ ବାତ୍‌’ କରନ୍ତୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ପ୍ରଧାନମନ୍ତ୍ରୀ ମଣିପୁର ହିଂସା ପ୍ରସଙ୍ଗରେ ନୀରବତା ଭଙ୍ଗ କରି ସେଠାକୁ ଯିବା ପାଇଁ ଜୟରାମ ପରାମର୍ଶ ଦେଇଛନ୍ତି। ମଣିପୁର ସଂଘର୍ଷ ପାଇଁ କଂଗ୍ରେସ ରାଜ୍ୟ ପ୍ରଶାସନକୁ ଦାୟୀ କରିଛି। ସର୍ବଦଳୀୟ ପ୍ରତିନିଧି ଦଳ ମଣିପୁର ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ସଞ୍ଚାର କରିପାରିବ ଓ ସେମାନଙ୍କ ଦୁଃଖ ସମୟରେ ଦେଶ ସେମାନଙ୍କ ସହ ରହିଥିବାର ବାର୍ତ୍ତା ଦେବ। ଏହା କେବଳ ମଣିପୁର ଜନସାଧାରଣଙ୍କ ପ୍ରସଙ୍ଗ ନୁହେଁ, ଜାତୀୟ ପ୍ରସଙ୍ଗ ବୋଲି ଜୟରାମ କହିଛନ୍ତି।