ବାତ୍ୟା “ବିପର୍ଯ୍ୟୟ”ର ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ର୍ରିକ ବାତ୍ୟା ଭୀଷଣ ଆକାର ଧାରଣ କରି ଗୁଜରାଟ ଉପକୂଳ ଆଡେ ମୁହାଁଇଛି । ‘ବିପର୍ଯ୍ୟୟ’ ନାମକ ଏହି ସାମୁଦ୍ରିକ ବାତ୍ୟାର ମୁକାବିଲା କରି କ୍ଷୟକ୍ଷତିକୁ କିପରି ଯଥା ସାଧ୍ୟ କମ୍ କରାଯାଇପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଏଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକ ଅବସରରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀମାନେ କହିଥିଲେ ଯେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ବିପର୍ଯ୍ୟୟ” ଜୁନ ୧୫ତାରିଖ ମଧ୍ୟାହ୍ନ ସୁଦ୍ଧା ଗୁଜରାଟର ମାଣ୍ଡବୀରୁ ପାକିସ୍ତାନର କରାଚି ମଧ୍ୟରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଅତିକ୍ରମ କରିବ । ଏହି ବାତ୍ୟା ଗୁଜରାଟର ଏକ କ୍ଷୁଦ୍ର ବନ୍ଦର ଜଖାଉ ନିକଟରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି ।

ବାତ୍ୟା ଆସୁଥିବାରୁ ଗୁଜରାଟର ତଟବର୍ତ୍ତୀ ତଳିଆ ଅଞ୍ଚଳ ଓ ବିପଜ୍ଜନକ ଇଲାକାରେ ବସବାସ କରୁଥିବା ଲୋକମାନଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ପାନୀୟ ଜଳ ଯୋଗାଣ, ଟେଲିଫୋନ, ବିଜୁଳି ସମେତ ସବୁ ଅତ୍ୟାବଶ୍ୟକ ସେବାକୁ ଅବ୍ୟାହତ ରଖିବାକୁ ସେ ଗୁଜରାଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଅଭାବ ନ ରହେ ତାହା ମଧ୍ୟ ନିଶ୍ଚିତ କରିବାକୁ ସେ କହିଛନ୍ତି ।

 ବାତ୍ୟାର ପ୍ରଭାବରେ କ୍ଷୟକ୍ଷତି ଯେତେ କମ୍ ହେବ ସେଥି ପାଇଁ ଆବଶ୍ୟକ ପ୍ରସ୍ତୁତି କରିବା ସହିତ ତୋଫାନ ପରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ ଯଥା ସମ୍ଭବ ଶେଷ କରିବାକୁ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିଗ୍ରସ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ, ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଶେଷକରି ବିଜୁଳି, ଟେଲିଫୋନ, ଜଳଯୋଗାଣ ଓ ସଡକ ଯୋଗାଯୋଗ ବ୍ୟବସ୍ଥା ଆଦିକୁ କ୍ଷତିଗ୍ରସ୍ତ ଅଞ୍ଚଳରେ ଯଥାଶୀଘ୍ର ସ୍ୱାଭାବିକ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ବାତ୍ୟା ଯୋଗୁଁ ଗୃହପାଳିତ ପଶୁ ପକ୍ଷୀ, ବିଶେଷକରି ପଶୁ ସମ୍ପଦର ଯେପରି ବିଶେଷକ କିଛି କ୍ଷତି ନ ଘଟେ ତାହା ସୁନିଶ୍ଚିତ କରିବାକୁ ସେ କହିଛନ୍ତି । ବାତ୍ୟା ନିୟନ୍ତ୍ରଣ କକ୍ଷକୁ ରାଜ୍ୟ ସରକାର ୨୪ଘଣ୍ଟା ଚାଲୁ ରଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।